ଆସନ୍ତା ଅଗଷ୍ଟ ୨୧ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ଖପ୍ରାଖୋଲ ଶାଖା ତରଫରୁ ପ୍ରସ୍ତୁତି ବୈଠକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସଫଳ କରିବା ଲାଗି ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ଖପ୍ରାଖୋଲ ଶାଖା ପକ୍ଷରୁ ଆହ୍ୱାନ କରାଯାଇଛି । ଖପ୍ରାଖୋଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁସୂଚିତ ଜାତି ଏବଂ ଜନଜାତି ସମାଜର ବରିଷ୍ଠ ନାଗରିକ, ଖପ୍ରାଖୋଲ ବ୍ଲକ ଲକ୍ଷେଘର ଗଣ୍ଡା ସମାଜର କର୍ମକର୍ତ୍ତା ଏବଂ ଏଲଡିଏ କର୍ମୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ବନ୍ଦ ପାଳନ ସମୟରେ ସମ୍ପୂର୍ଣ୍ଣ ରୂପେ ଚକ ବନ୍ଦ ରହିବା ସହ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ସମସ୍ତ ଦୋକାନ ବଜ଼ାର ବନ୍ଦ କରି ଶାନ୍ତି ଶୃଙ୍ଖଳା ସହ ଏହାକୁ କିପରି ସଫଳ କରାଯିବ ସେ​ ନେଇ ବୈଠକରେ ଆଲୋଚନା ହୋଇଛି । ବୈଠକରେ କୁହାଯାଇଥିଲା ଯେ, ବାବା ସାହେବ ଡ.ଭୀମରାଓ ଆମ୍ବଦେକର ସମ୍ବିଧାନରେ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ଯେଉଁ ଅଧିକାର ଦେଇଛନ୍ତି, ସେଥିରେ କଟାଛଟା କରାଯିବା ଅନୁଚିତ । ସୂଚନାଯୋଗ୍ୟ, ନିକଟରେ ସୁପ୍ରିମକୋର୍ଟ ସରକାରୀ ଚାକିରିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରହିଥିବା ସଂରକ୍ଷଣ କୋଟାର ଉପବର୍ଗୀକରଣ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ । ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିରେ ଥିବା ସ୍ଵଚ୍ଛଳ ବର୍ଗଙ୍କୁ ବାଦ୍‌ ଦେଇ ଅବହେଳିତ, ନିଷ୍ପସିତ ମାନଙ୍କୁ ଅଧିକ ସଂରକ୍ଷଣ ସୁବିଧା ପ୍ରଦାନ କରିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ୭ ଜଣିଆ ବୃହତ୍ତ ଖଣ୍ଡପୀଠ ରାୟ ଶୁଣାଇଥିଲେ । ଏହାର ବିରୁଦ୍ଧରେ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି । ଏହି ପରିପେକ୍ଷୀରେ ଅଗଷ୍ଟ ୨୧ ତାରିଖ ଦିନ ଶାନ୍ତି ଶୃଙ୍ଖଳା ସହ ବନ୍ଦ ପାଳନ କରିବାକୁ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ରଙ୍କ ସମେତ ଖପ୍ରାଖୋଲ ବଜାର ମହାସଙ୍ଘ ଓ ଡ୍ରାଇଭର ମହାସଂଘଙ୍କୁ ଲିଖିତ ପତ୍ର ଦିଆଯାଇଛି । ଉକ୍ତ ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ସମାଜର ବିପ୍ର ବିଶି, ଟିକେଶର ଧରୁଆ, ଲବ ସୁନା, ନିରାକାର ଛୁରା, ଅଶୋକ କୁମାର ବାଗ, ଜଳଧର ତାଣ୍ଡି, ତନ୍ତ୍ର ଧରୁଆ, ତେଜରାଜ ମାଝୀ, ଚନ୍ଦ୍ରଶେଖର ବରିହା ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.