ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଗଲା ଯାତ୍ରୀବାହୀ ବସ୍‌ : ୩୦ରୁ ଅଧିକ ଯାତ୍ରୀ ଆହତ, ୬ ଯାତ୍ରୀ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଗଲା ଯାତ୍ରୀବାହୀ ବସ୍‌ । ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମଙ୍ଗଳବାର ଅପରାହ୍ନରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି । ‘ସାଲୁଙ୍କି’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ନିର୍ଦ୍ଧାରିତ ସମୟରେ ମୁନିଗୁଡ଼ାରୁ ଯାତ୍ରୀଙ୍କୁ ଧରି ଫୁଲବାଣୀ ଅଭିମୁଖେ ବାହାରି ଥିଲା । ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ । ତେବେ କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥର କୋଟଗଡ଼ ଥାନା ପଣ୍ଡାଇର୍ପି ନିକଟସ୍ଥ ମୁଣ୍ଡାସାହି ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସ୍‌ଟି ଯାଇ ଗୋଟିଏ ଗଛରେ ପିଟି ହୋଇ ଅଟକି ଯାଇଥିଲା । ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ୩୦ରୁ ଅଦିକ ଆହତ ଯାତ୍ରୀଙ୍କୁ ବସ୍‌ରୁ ଉଦ୍ଧାର କରି କୋଟଗଡ ହସ୍ପିଟାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିବା ପରେ ଗୁରୁତର ଥିବା ୬ ଜଣ ଯାତ୍ରୀ ମାନଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି । ଘଟଣା ସ୍ଥଳରେ କୋଟଗଡ ପୋଲିସ ପହଂଚି ପରିସ୍ଥିତି ଅନୁଧ୍ୟାନ କରି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!