
ଭଞ୍ଜନଗରରେ କଲେଜ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କ ନିଆରା ଅଂଶଗ୍ରହଣ : ଭୋଟରଙ୍କୁ ସଚେତନତା ପାଇଁ ୱାକାଥନ୍ ଓ ପଥ-ମହୋତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଭୋଟରଙ୍କୁ ସଚେତନତା ପାଇଁ ୱାକାଥନ୍ ଓ ପଥ-ମହୋତ୍ସବ ଆୟୋଜନ ଖୁବ ନିଆରା ଥିଲା । ଭୋଟର ପଞ୍ଜିକରଣ, ନିର୍ବାଚନରେ ଅଶଂଗ୍ରହଣ, ନିର୍ଭୁଲ ଭୋଟର ତାଲିକା ସଂଶୋଧନ ସହ ସଚେତନତା ଏବଂ ଯୁବଗୋଷ୍ଠୀ ମଧ୍ୟରେ ଗଣତାନ୍ତ୍ରିକ ମୁଲ୍ୟବୋଧକୁ ପ୍ରଜ୍ୱଳିତ କରିବା ପାଇଁ ୱାକାଥନ୍ ଓ ପଥ-ମହୋତ୍ସବ ସାମାରୋହ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି । ଭଞ୍ଜନଗର ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀ ୱାକାଥନ୍କୁ ସବୁଜ ପତାକା ଦେଖାଇ ଆନୁଷ୍ଠାନିକଭାବେ ଶୁଭାରମ୍ଭ କରିଥିଲେ । ଭୋଟର ସଚେତନତା ପଦଯାତ୍ରା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟେଳୟରୁ ବାହାରି ରେଡକ୍ରସ ରୋଡ୍, ମୁଖ୍ୟସଡକ ଦେଇ ଭଞ୍ଜନଗର ବସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲା । ସେଠାରେ ୱାକାଥନ୍ ଓ ପଥ-ମହୋତ୍ସବ ସାମାରୋହରେ ଆନୁଷ୍ଠାନିକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ସେଠୀ ଯୋଗଦେଇ ଯୁବଗୋଷ୍ଠୀଙ୍କୁ ଭୋଟର ତାଲିକାରେ ନାମ ସଂଯୋଗ ଓ ନିର୍ବାଚନରେ ମତଦାନ ଅଧିକାର ବିଷୟରେ ସଚେତନତା କରିବା ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ଗଣ ଦେଶର ଜଣେ ଦାୟିତ୍ୱବାନ୍ ନାଗରିକ ହେବା ପାଇଁ ମତବ୍ୟକ୍ତ କରିଥିଲେ । ୱାକାଥନ୍ ଓ ପଥ-ମହୋତ୍ସବ କାର୍ଯ୍ୟକ୍ରମରେ ସ୍ଥାନୀୟ ସାବିତ୍ରୀ ମହାବିଦ୍ୟାଳୟ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା । ଏହା ସାଂଗକୁ ରଙ୍ଗୋଲି ଓ ଚିତ୍ରାଙ୍କନ କାର୍ଯ୍ୟକ୍ରମ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଭଞ୍ଜନଗର ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଏଷ୍ଟାବ୍ଲିସମେଣ୍ଟ ଅଫିସର ଅନୀଲ କୁମାର ପଣ୍ଡା, ଭାରପ୍ରାପ୍ତ ଗ୍ରାମପଞ୍ଚାୟତ ଅଧିକାରୀ ପ୍ରିୟଦର୍ଶନୀ ମଲ୍ଲିକ ,କ୍ୟାପ୍ଟେନ ଏମ୍.କେ. ସ୍ୱାଇଁ, କେ.ଏସ.ୟୁ.ବି. କଲେଜର ନାଭାଲ ଉଇଙ୍ଗ୍ ଅଫିସର ରବିନ୍ଦ୍ର କୁମାର ମିଶ୍ର, ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ, ଶୁଳପାଣି ଶତପଥୀ, ଜଗଦୀଶ ପାଣିଗ୍ରାହୀଙ୍କ ସହ ସମସ୍ତ ଗଣ୍ୟମାନ୍ୟ ବ୍ୟକ୍ତି ଓ ଅତିଥୀ, ସାମ୍ବାଦିକଗଣ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ବିଭାଗର ବରିଷ୍ଠ କର୍ମଚାରୀ ମୁକ୍ତିକାନ୍ତ ନାୟକଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଗଣ ସହଯୋଗ କରିଥିଲେ ।