ହରିଶଙ୍କର ଠାରେ ଚାଲିଛି ଭଙ୍ଗା କାର୍ଯ୍ୟ : ସ୍ଥିତି ତଦାରଖ କଲେ ଉପଜିଲ୍ଲାପାଳ

ଖପ୍ରାଖୋଲ, (ଅଶୋକ ବାଗ) : ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କରର ବିକାଶ ପାଇଁ ରାଜ୍ୟ ସରକାର ଟଙ୍କା ମଞ୍ଜୁର କରିଥିବା ବେଳେ ଏବେ ନିର୍ମାଣ କାର୍ଯ୍ୟ ପୂର୍ବରୂ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି । ମନ୍ଦିର ପରିସର ଏବଂ ଏହାର ଚତୁପାଶ୍ୱର୍ରେ ଥିବା ଭୋଗମଣ୍ଡପ, କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପେ୍ଲକ୍ସ, ଭୋଗ ଦୋକାନ, ଶୌଚାଳୟ, ପୁରୁଣା ଫାଣ୍ଡି ଆଦିକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ଫଳରେ ହରିଶଙ୍କରକୁ ଏବେ ଚିହ୍ନି ହେଉନାହିଁ । ପାଟଣାଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ.ବିଜୟାନନ୍ଦ ସେଠୀ ରବିବାର ପୂର୍ତ୍ତବିଭାଗର ଅଧିକାରୀମାନଙ୍କୁ ସାଙ୍ଗରେ ଧରି ହରିଶଙ୍କର ଗସ୍ତ କରିବା ସହିତ ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ ତଦାରଖ କରିଥିଲେ । ଉପଜିଲ୍ଲାପାଳଙ୍କ ଗସ୍ତ ସମୟରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅର୍ଜୁନ ବେହେରା, ପାଟଣାଗଡ ସହକାରୀ ନିର୍ବାହୀଯନ୍ତ୍ରୀ ଅରୁଣ ପ୍ରକାଶ ଟେଟେ, କଂଟାବାଞ୍ଜି ସହକାରୀ ନିର୍ବାହୀଯନ୍ତ୍ରୀ ଉଦୟନାଥ ଚୌଧୁରୀ, ପାଟଣାଗଡ କନିଷ୍ଠ ଯନ୍ତ୍ରୀ ଅମିତ ସାମଲ, କଂଟାବାଞ୍ଜି କନିଷ୍ଠଯନ୍ତ୍ରୀ ବେଦବ୍ୟାସ ଭୋଇ ପ୍ରମୁଖ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା ଅର୍ଥରୁ ପ୍ରଥମ ପର୍ଯ୍ୟାୟରେ ତିନିକୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏବେ ୧୪କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି । ମନ୍ଦିର ସମ୍ମୁଖରେ ଏଣ୍ଟ୍ରାନସ୍‌ ପ୍ଲାଜା, ସୂଚନା କେନ୍ଦ୍ର ସହିତ ମନ୍ଦିର ଇତିହାସ, ଭୋଗ ମଣ୍ଡପ, ଶୌଚାଳୟ, ଡର୍ମିଟୋରୀ, ପୂଜକମାନଙ୍କ ରହିବା ଗୃହ, କଲ୍ୟାଣ ମଣ୍ଡପ, ବହୁବିଧ ଗୃହ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ୧୪ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି । ମନ୍ଦିର ପ୍ରବେଶ ପଥ ଭଙ୍ଗା ଯାଇଥିବାରୁ ସମଲେଇ ମନ୍ଦିର ଦେଇ ବିକଳ୍ପ ରାସ୍ତା କରାଯାଇଥିବା ବେଳେ ପର୍ଯ୍ୟଟକମାନେ ଏହି ବାଟ ଦେଇ ମନ୍ଦିରକୁ ଯାଉଛନ୍ତି । ଏହି ରାସ୍ତାକୁ ସମତଳ ଏବଂ ସୁରକ୍ଷିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରିବା ନିମନ୍ତେ ଉପଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମଞ୍ଜୁର ଅର୍ଥରେ ନିର୍ମାଣ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟକୁ ଆସନ୍ତା ବୈଶାଖ ଚତୁର୍ଦ୍ଦଶୀ ପୂର୍ବରୁ ଶେଷ କରିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅନ୍ୟପକ୍ଷରେ ନୂତନ ଭାବେ କେତେକ ନିର୍ମାଣ କାର୍ଯ୍ୟ ମନ୍ଦିର ପୂଜକମାନଙ୍କ ପକ୍ଷରୁ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଛି । ନଡିଆଭାଙ୍ଗିବା ପାଇଁ ମନ୍ଦିର ବାହାରେ ଗୋଟିଏ ପୂଜା ମଣ୍ଡପ ନିର୍ମାଣ, ମନ୍ଦିରକୁ ପାଣି ପାଇପର ବ୍ୟବସ୍ଥା, ରୋଷେଇ ଗୃହକୁ ପାଣି ଟ୍ୟାପ ସହିତ ପାଣି ନିଷ୍କାସନ ପାଇଁ ବେସିନ, ଭଣ୍ଡାର ଗୃହ ନିର୍ମାଣ, ପର୍ଯ୍ୟଟକଙ୍କ ପ୍ରସାଦ ସେବନ ପାଇଁ ଗୋଟିଏ ହଲ ନିର୍ମାଣ, ମନ୍ଦିର ଠାରୁ ୫୦ମିଟର ମଧ୍ୟରେ ପୂଜକମାନଙ୍କ ରହିବା ଗୃହ ଏବଂ ଶୌଚାଳୟ, ପୂଜକମାନଙ୍କ ପାଇଁ ସ୍ୱତନ୍ତ୍ର ମୋଟର ବାଇକ ପାର୍କିଂ ସ୍ଥାନ ନିର୍ମାଣ କରାଯିବା ନେଇ ମନ୍ଦିର ପୂଜକଙ୍କ ପକ୍ଷରୁ ଦାବୀ କରାଯାଇଛି ।

Leave A Reply

Your email address will not be published.

error: Content is protected !!