ବିବାଦ ଘେରରେ ରହିଛି ନୃସିଂହନାଥ ମନ୍ଦିର ଭଣ୍ଡାର ଘର ଭାଙ୍ଗିବା ପ୍ରସଙ୍ଗ

ବରଗଡ, (ନିରୋଜ କୁମାର ପାଣୀ) : ଫାଇଭ୍‌-ଟି ଜରିଆରେ ଓଡିଶାର ବହୁ ପୁରାତନ ମନ୍ଦିର, ମଠଗୁଡିକ ପୁନଃ ନିର୍ମାଣ ଓ ବିକାଶର କାର୍ଯ୍ୟ ସାରା ରାଜ୍ୟରେ ଚାଲିଛି । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ଫାଇଭ୍‌-ଟି ଅଧିନରେ ଓଡିଶା ସରକାର ୪୦ କୋଟି ଟଙ୍କା ବ୍ୟୟ ଅଟକଳ କରି ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ୱାରା ସଂପାଦନା ହେଉଛି । ମନ୍ଦିର ପରିସରରେ ଥିବା ସମସ୍ତ ପୁରୁଣା ଧର୍ମଶାଳା, କାର୍ଯ୍ୟାଳୟ, ଷ୍ଟାପ କ୍ୱାଟର, କଲ୍ୟାଣ ମଣ୍ଡପଗୁଡିକ ଭାଙ୍ଗି ସେଠାରେ ନୂତନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଛି । ନୂତନ କାର୍ଯ୍ୟାଳୟ, ବିବାହ ମଣ୍ଡପ, ଭୋଗ ମଣ୍ଡପ, ଅତିଥି ଭବନ ସହ ଷ୍ଟାପ କ୍ୱାଟର ନିର୍ମାଣ କାର୍ଯ୍ୟ ଡିସେମ୍ବର ମାସ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ପୂର୍ତ୍ତ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ମନ୍ଦିରର ଭଣ୍ଡାର ଘର ଭାଙ୍ଗିବା ପ୍ରସଙ୍ଗ ବିବାଦ ଘେରରେ ରହିଛି । ଫାଇଭ୍‌-ଟି ଜରିଆରେ ଭଣ୍ଡାର ଘରକୁ ସଂପୂର୍ଣ୍ଣ ଭାଙ୍ଗିବା ପାଇଁ ପ୍ଲାନ୍ ପ୍ରସ୍ତୁତ ହୋଇଥିବା ବେଳେ ଏହା ଉପରେ ଆପତ୍ତି ଉଠାଇ ଭଣ୍ଡାର ଘର ପୁରାତନ କିର୍ତ୍ତି ରାଜିର ଅଂଶ ବିଶେଷ ହୋଇଥିବା ବେଳେ ଏହାକୁ ନ ଭାଙ୍ଗିବା ପାଇଁ ଫାଇଭ୍‌-ଟି ଅଧ୍ୟକ୍ଷଙ୍କୁ ଅନେକ ସଂଗଠନ ନିବେଦନ କରିଛନ୍ତି । ୧୩ଶହ ଶତାବ୍ଦୀରେ ପାଟଣା ରାଜା ବୈଜଳ ଦେବଙ୍କ ଦ୍ୱାରା ନୃସିଂହନାଥ ମନ୍ଦିର ନିର୍ମାଣ ହୋଇଥିବା ବେଳେ ତାର ପାଖାପାଖି ୨ ଶହ ବର୍ଷ ପରେ ମନ୍ଦିରର ଭଣ୍ଡାର ଘର ନିର୍ମିତ ହୋଇଥିବା ଐତିହାସିକ ମାନେ ମତ ଦିଅନ୍ତି । ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ନୃସିଂହନାଥ ମନ୍ଦିର ସହ ଭଣ୍ଡାର ଘରକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛି ଯେଉଁଥି ପାଇଁ ଏଠାରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ କରାଯାଏ ନାହିଁ । ପୁରାତନ କୀର୍ତ୍ତିରାଜିର ଅଂଶ ବିଶେଷ ଭଣ୍ଡାର ଘରକୁ ନ ଭାଙ୍ଗିବା ପାଇଁ ଦାବୀ ଉଠୁଥିବା ବେଳେ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଲେଇ ଇତି ମଧ୍ୟରେ ମନ୍ଦିର ପରିଦର୍ଶନ କରି ମନ୍ଦିର ସେବାୟତମାନଙ୍କ ସହ “ଭଣ୍ଡାର ଘର” ଭାଙ୍ଗିବା ପ୍ରସଙ୍ଗ ଉପରେ କଥାବାର୍ତ୍ତ କରିଥିବା ଜଣାଯାଇଛି । ତେବେ ଭଣ୍ଡାର ଘର ନ ଭାଙ୍ଗିବା ପାଇଁ ସେବାୟତମାନେ ଆର୍‌ଡିସିଙ୍କୁ ନିଜ ମତ ଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.