
ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁକୁ ନେଇ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପ୍ରିଲ ୨ ତାରିଖରୁ ପରିଭ୍ରମଣ ଆରମ୍ଭ କରିଥିବା ଶିକ୍ଷା ସଚେତନତା ରଥକୁ ଆଜି ଟାଙ୍ଗରପାଲି ବ୍ଲକ୍ ରତନପୁର କ୍ଲଷ୍ଟର ଅନ୍ତର୍ଗତ ଟାଙ୍ଗରମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଭବ୍ୟ ବାଗତ କରଯାଇଛି । ଆଜି ସକାଳ ୮ ଟାରେ ରଥଟି ଟାଙ୍ଗରମୁଣ୍ଡା ଗ୍ରାମରେ ପହଞ୍ଚିଥିବା ବେଳେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ପାରମ୍ପରିକ ନୃତ୍ୟଗୀତର ତାଳେ ତାଳେ ସ୍ୱାଗତ କରିବା ସହିତ ପାଛୋଟି ଆଣିଥିଲେ । ତାପରେ ରଥକୁ ଫୁଲ ଚନ୍ଦନ ନେଇ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ମହୁଲପାଲି ସିଆରସିସି ଅଜିତ ବାର୍ଲା ଏବଂ ରତନପୁର ସିଆରସିସି ମଲୟ କୁମାର ପଟେଲ ଯୋଗଦେଇ ଜାତୀୟ ଶିକ୍ଷାନୀତି -୨୦୨୦ ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିବା ବେଳେ ଏହାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁମତି ଦେଉରିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ନବୀନ ଚନ୍ଦ୍ର ଅଢ଼ା, ବିଦ୍ୟାଳୟ ପରିଚାଳନା ସମିତିର ଉପ ସଭାପତି ବାସନ୍ତୀ ଓରାମ, ସଭ୍ୟ ଯାଦବ ରାଉଡ଼ିଆ, ଅଙ୍ଗନୱାଡ଼ି କର୍ମୀ ସବିତା ବାର୍ଲାଙ୍କ ସମେତ ବହୁତ୍ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ ।