oom

ଗଞ୍ଜାମ ବିଇଓ ଭାଗୀରଥି ବେହେରା ପାଇଲେ ଜାତୀୟ ସମ୍ମାନ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଧିନସ୍ଥ ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ବେହେରାଙ୍କୁ ଡ଼ା. ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ର, ଜନପଥ ନୂଆଦିଲ୍ଲୀରେ ଭାରତ ସରକାର ଶିକ୍ଷା ମନ୍ତ୍ରାଳୟ ତରଫରୁ ଆୟୋଜିତ ଦକ୍ଷ ଶିକ୍ଷା ପ୍ରଶାସନ ଓ ନୂତନ ଅଭିନବ ପ୍ରୟାସ ଜାତୀୟ ସମ୍ମାନ ଉତ୍ସବରେ ସମ୍ମାନୀତ ହୋଇଛନ୍ତି । ଦେଶର ସମସ୍ତ ରାଜ୍ୟରୁ ଚୟନ ହୋଇଥିବା ଷାଠିଏ ଶିକ୍ଷା ଅଧିକାରୀଙ୍କ ମଧ୍ୟରୁ ଶ୍ରୀବେହେରାଙ୍କୁ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନର ଅଭିବୃଦ୍ଧି ପାଇଁ ତାଙ୍କରି ଦ୍ଵାରା ଆୟୋଜିତ ହେଉଥିବା ପଠନ, ଆବୃତ୍ତି ଓ ଲିଖନ କାର୍ଯ୍ୟକ୍ରମ ତତ୍‌ ସହ ବିଦ୍ୟାଳୟସ୍ତରୀୟ ଶିଶୁ ଲେଖକ କର୍ମଶାଳା ନିମନ୍ତେ ଏହି ସମ୍ମାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ ଅତିଥିଙ୍କ କରକମଳରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଗଲା । ୧୫ ଖଣ୍ଡ ପୁସ୍ତକର ରଚୟିତା ଓ ଗୋଷ୍ଠୀ ଅଧିକାରୀ ଶ୍ରୀ ବେହେରା ୨୦୧୬-୧୮ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ, ଖଲ୍ଲିକୋଟ ଏବଂ ୨୦୧୯-୨୧ ମସିହାରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ନେହେରୁ ବହୁମୁଖୀ ବିଦ୍ୟାପୀଠ, କଙ୍କୋରଡ଼ାରେ ପ୍ରଧାନ ଶିକ୍ଷକ ଥିଲାବେଳେ ପିଲାଙ୍କ ମଧରେ ସର୍ଜନାତ୍ମକ ବିକାଶ ନିମନ୍ତେ ପ୍ରତି ଶନିବାର ଭାଷାକୁ ନେଇ ‘ଖୋଲା ମଞ୍ଚ’ ନାମକ ଏକ କାର୍ଯ୍ୟକ୍ରମ କରୁଥିଲେ ଯାହା ବହୁତ ଆଦୃତ ହୋଇଥିଲା । ଡିସେମ୍ବର ମାସ ୨୦୨୧ ମସିହା ଗଞ୍ଜାମ ବ୍ଲକରେ ଜଏନ୍‌ କଲା ପରଠାରୁ କୋଭିଡ୍‌ ସମୟରେ ପିଲାଙ୍କ ହଜିଥିବା ପାଠକୁ ଫେରେଇ ଆଣିବାକୁ ଖୋଲା ମଞ୍ଚ କାର୍ଯ୍ୟକ୍ରମକୁ ପଠନ, ଆବୃତ୍ତି ଓ ଲିଖନ କାର୍ଯ୍ୟକ୍ରମ ନାମରେ ପ୍ରତ୍ୟେକ ବିଦ୍ୟାଳୟର ଜିଲ୍ଲା ଓ ବ୍ଲକ ଶିକ୍ଷା ପ୍ରଶାସନ ସହଯୋଗ ନେଇ ଆୟୋଜନ କରି ଆସୁଛନ୍ତି, ଯାହାକି ଭାରତ ସରକାରଙ୍କ ଦ୍ଵାରା ଚାଲୁଥିବା ଏଫ୍ଏଲ୍ଏନ୍ କାର୍ଯ୍ୟକ୍ରମକୁ ବଳିଷ୍ଠ କରୁଛି । ଏହି କାର୍ଯ୍ୟକ୍ରମରେ ପିଲାମାନେ ନିଜର କିମ୍ବା ନିଜ ପସନ୍ଦର କବିତା, ଗଳ୍ପ, ପ୍ରବନ୍ଧ, ନାଟକ ଆଦି ପାଠ କରିବା ସହ ଆବୃତ୍ତି କରୁଛନ୍ତି । ବିଦ୍ୟାଳୟର ଶିକ୍ଷକ ବୃନ୍ଦ, ଅଭିଭାବକ ଗୋଷ୍ଠୀ ସହ ଆଞ୍ଚଳିକ କଳାକାର କିମ୍ବା ଲେଖକଙ୍କ ଉପସ୍ଥିତି ସହ ପିଲାଙ୍କୁ ବିଭିନ୍ନ ପୁସ୍ତକ ଉପହାର ଦେଇ ଏକ ମଞ୍ଚ ଯୋଗାଇବା ହିଁ ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ଯାହାଦ୍ୱାରା ପିଲାଙ୍କ ଭିତରେ ଥିବା ପ୍ରତିଭା ବିକଶିତ ହେବା ସହ ସେମାନଙ୍କ ମଧ୍ୟରେ ଭାଷା ଦକ୍ଷତାର ଅଭିବୃଦ୍ଧି ଘଟୁଛି । ଏହି ସଫଳତା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା, ଜିଲ୍ଲା ଶିକ୍ଷା ପ୍ରଶାସନ, ଗଞ୍ଜାମ ବ୍ଲକର ସିଆରସିସି ଏବଂ ସମସ୍ତ ଶିକ୍ଷକ ବୃନ୍ଦଙ୍କ ସହ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସର୍ଜନାତ୍ମକ ଦିଗରେ ସାହାଯ୍ୟ କରିଥିବା ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.