ସୋସିଆଲ ମିଡ଼ିଆରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ ଭୁରି ଭୁରି ପ୍ରଶଂସା

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛି ଦିନ ଆଗରୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଏଲ୍‌ ଅନିଲ କୁମାର ଏବଂ ତାଙ୍କ ଭଉଣୀ ଏଲ୍‌ ଶାନ୍ତି ଏକା ସଙ୍ଗରେ ରହୁଥିଲେ । ଅନିଲ ଡାଇଲେସିସ୍‌ ପାଇଁ ବଲାଙ୍ଗିର ଡାକ୍ତରଖାନାକୁ ଆସିଥିବା ବେଳେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କ ଭଉଣୀ ଖବର ପାଇ ବଲାଙ୍ଗିର ଆସିଥିଲେ । ଟିଟିଲାଗଡ଼ରେ ତାଙ୍କର କେହି ନ ଥିବାରୁ ଶବ ସତ୍କାର ତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଯାଇଥିଲା । କାନ୍ଦି କାନ୍ଦି ହସ୍ପିଟାଲ ପରିସରରେ ଦୀର୍ଘ ପାଞ୍ଚ ଘଣ୍ଟା ରହିଥିବା ପରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟ ମାନଙ୍କୁ ଏହି ଖବରଟି ଆସିଥିଲା । ଅନୁଷ୍ଠାନର କର୍ମକର୍ତା ମାନେ ସଂଗେ ସଂଗେ ପହଂଚି ଡାକ୍ତରଖାନାରୁ ଶବ ଆଣି ସ୍ଥାନୀୟ ବିଭୁତିପଡା ଶ୍ମଶାନରେ ସସମ୍ମାନେ ଶବ ସତ୍କାର କରିଥିଲେ । ପରେ ତାଙ୍କ ଭଉଣୀଙ୍କୁ ମଧ୍ୟ ଟିଟିଲାଗଡ଼ ପଠାଇବାର ବ୍ୟବସ୍ଥା କରିଥିଲେ । ଏହି ମହତ କାର୍ଯ୍ୟର ଭିଡିଓକୁ ବିଙ୍ଗ ହ୍ୟୁମାନ ତରଫରୁ ସୋସିଆଲ ମିଡ଼ିଆରେ ଛଡାଯାଇଥିଲା । ଯାହା ଏବେ ଭାଇରାଲ୍‌ ହୋଇ ୩ ଲକ୍ଷ ଲୋକ ଦେଖି ସାରିଲେଣି ଏବଂ ଏହି କାର୍ଯ୍ୟକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ କହିବାନୁସାରେ ବଡ଼ ବଡ଼ ସେଲିବ୍ରେଟିଙ୍କ ଏପରି ଯାଏ, କିନ୍ତୁ ସାମାଜିକ କାର୍ଯ୍ୟର ଭିଡିଓ ଏପରି ଲୋକ ଦେଖିବେ କେବେ ଭାବିନଥିଲି । ଯେପରି ଭାବରେ ଚାରି ଦିନରେ ୩ ଲକ୍ଷ ପହଂଚିସାରିଲାଣି ଏହା ନିଶ୍ଚିତ ଭାବରେ ଏକ କୋଟିରେ ପହଂଚିବ ବୋଲି କହିଛନ୍ତି ।

Leave A Reply

Your email address will not be published.