ରାଉରକେଲାରେ ମହାଶିବରାତ୍ରୀ ଉପଲକ୍ଷେ ବେଦବ୍ୟାସ ପୀଠରେ ଫେବୃଆରୀ ୨୬ରୁ ମାର୍ଚ୍ଚ ୧୦ ଯାଏଁ ଚାଲିବ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଚଳିତ ବର୍ଷ ମହାଶିବରାତ୍ରୀ ଉପଲକ୍ଷ୍ୟରେ ଆୟୋଜିତ ମେଳା ଫେବୃଆରୀ ୨୬ରେ ଆରମ୍ଭ ହୋଇ ୧୦ ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜନ କରାଯିବ । ବେଦବ୍ୟାସ ଟ୍ରଷ୍ଟ ବୋର୍ଡ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ମହାଶିବରାତ୍ରୀ ଦିବସ ଓ ମେଳା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଏହାର ଅଧ୍ୟକ୍ଷତାରେ କରିଥିଲେ ।  ମହାଶିବରାତ୍ରୀ ପାଇଁ ବେଦବ୍ୟାସ ପୀଠରେ ଚଳିତ ବର୍ଷ ୧୩ ଦିନ ଧରି ମେଳା ଆୟୋଜନ କରାଯିବ । ଫେବୃଆରୀ ୨୬ରେ ଆରମ୍ଭ ହୋଇ ୧୦ ମାର୍ଚ୍ଚ ପର୍ୟ୍ୟନ୍ତ ଏହି ମେଳା  ଚାଲିବ । ମେଳାରେ ଟ୍ରାଫିକ ପରିଚାଳନା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବାପାଇଁ  ଆବକ୍ୱକ ପୋଲିସ ଫୋର୍ସଙ୍କ ସହ ସିଭିଲଡିଫେନ୍ସର ସ୍ବେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯିବ । ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ରାଉରକେଲା ଅଗ୍ନିଶମ ବିଭାଗ ପକ୍ଷରୁ ମେଳାରେ କଣ୍ଟ୍ରୋଲ ରୁମ୍ ଖୋଲାଯିବ ।  ଅଗ୍ନିଶମ କର୍ମଚାରୀଙ୍କ ସହ କୁଇକ୍ ରେସପନ୍ସ ଟିମ୍ ମହଜୁଦ ରଖାଯିବାର ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ନଦୀ ଘାଟ ଏବଂ ବେଦବ୍ୟାସ ମନ୍ଦିର ନିକଟରେ ବ୍ୟାରିକେଡ୍ କରିବାକୁ ପ୍ରଶାସନ ପକ୍ଷରୁ  ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମେଳା ଚାଲିଥିବା ସମୟରେ ମନ୍ଦିରା ଡ୍ୟାମରୁ ବ୍ରାହ୍ମଣୀ ନଦୀକୁ ପାଣି ନଛାଡ଼ିବା ଲାଗି ଆରଏସପି ଅଧିକାରୀମାନଙ୍କୁ କୁହାଯାଇଛି । ବେଦବ୍ୟାସ ପୀଠରେ ହେବାକୁ ଥିବା ମେଳାରେ ଲୋକମାନଙ୍କ ସୁବିଧା ପାଇଁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ୱାଟକୋ ଏବଂ ମନ୍ଦିର ଚର୍ତୁପାବ ଓ ମେଳା ପଡିଆକୁ ନିୟମିତ ପରିସ୍କାର ପରିଛନ୍ନତା  ପାଇଁ ରାଉରକେଲା ମହାନଗର ନିଗମକୁ ଦାୟିତ୍ୱ  ଦିଆଯାଇଛି । ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ ସେବା ଲାଗି ଟିପିଡବ୍ଲୁଓଡିଏଲ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମେଳାରେ ଅସ୍ଥାୟୀ ଚିକିତ୍ସା ଶିବିର ସହ ମେଡିକାଲ ଷ୍ଟାଫ ଓ ୨ଟି ଆମ୍ବୁଲାନ୍ସ ମହଜୁଦ୍ ରଖାଯିବ । ମେଳାରେ ଆଲୋକୀକରଣ, ବେଦବ୍ୟାସ ମନ୍ଦିରର ସାଜସଜ୍ଜା ଉପରେ ବିଶେଷ ଗୁରୁତ୍ୱ ଦେବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଉପଜିଲ୍ଲାପାଳ ପାନପୋଷ ବିଜୟ ନାୟକ, ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଳବୀ ନାୟକ, ସହାୟକ ଆୟୁକ୍ତ ଅଜିତ ପଟ୍ଟନାୟକ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.