ବଲାଙ୍ଗିର ସାଂସଦଙ୍କ ସମୀକ୍ଷା ବୈଠକରେ ବିଡ଼ିଓ ଅନୁପସ୍ଥିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଆଜି ଲୋଇସିଂହା ଏବଂ ଆଗଲପୁର ବ୍ଲକ ଗସ୍ତ କରି ସମୀକ୍ଷା ବୈଠକ କରିଥିବା ଜଣାଯାଇଛି । ତେବେ ଏହି ସମୀକ୍ଷା ବୈଠକରେ ଉଭୟ ବ୍ଲକର ବିଡ଼ିଓ ମାନେ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ହୋଇଛି । ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କ ସମୀକ୍ଷା ବୈଠକରେ ଉଦ୍ଦେଶ୍ୟ ମୂଳକ ଭାବେ ସରକାରୀ ଅଧିକାରୀ ଅନୁପସ୍ଥିତ ରହିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସାଂସଦ । ଏନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାଂସଦ ସୂଚନା ଦେଇଛନ୍ତି । ତେବେ ଜନୈକ ବରିଷ୍ଠ ବିଜେପି ନେତାଙ୍କ ଇଙ୍ଗିତରେ ବିଡ଼ିଓ ମାନେ ଉପରୋକ୍ତ ସମୀକ୍ଷା ବୈଠକରେ ଅନୁପସ୍ଥିତ ରହିବା ଘଟଣା ସ୍ଥାନୀୟ ବିଜେପିରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱକୁ ପଦାରେ ପକାଇ ଦେଇଛି । ସାଂସଦ ଶ୍ରୀମତୀ ସିଂହଦେଓଙ୍କ ଏହି କାର୍ଯ୍ୟକ୍ରମରେ ହାତ ଗଣତି କିଛି ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିବାବେଳେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗଙ୍କ କୌଣସି ସମର୍ଥକଙ୍କୁ ଦେଖିବାକୁ ମିଳିନଥିଲା । ସାଂସଦ ଏବଂ ମନ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଏହି ଶୀତଳଯୁଦ୍ଧ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡିବାକୁ ବସିଛି । ବୈଠକରେ ଅନୁପସ୍ଥିତ ଥିବା ନେଇ ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣିଉହୁଙ୍କୁ ପଚାରିବାରୁ ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ କିଛି ସମୟ ପାଇଁ ବ୍ଲକ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ ବୋଲି ସଫେଇ ଦେଇଥିଲେ । ତେବେ ସାଂସଦଙ୍କ ଏହି ସମୀକ୍ଷା ବୈଠକରେ ଖୋଦ୍ ବିଡ଼ିଓ ଅନୁପସ୍ଥିତ ରହିବା ଦୁର୍ଭାଗ୍ୟଜନକ ବୋଲି ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ପ୍ରକାଶ କରିବା ସହିତ ବ୍ଲକ କର୍ମଚାରୀଙ୍କ କାର୍ଯ୍ୟକଳାପ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ସମୀକ୍ଷା ବୈଠକରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ତହସିଲଦାର ସଂଘମିତ୍ରା କାଲୋ, ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢୀଙ୍କ ସମେତ ସମସ୍ତ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ସେହିପରି ଆଗଲପୁର ବ୍ଲକ କାର୍ଯ୍ୟାଳୟ ଠାରେ ମଧ୍ୟ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଡ଼ିଓ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ତେବେ ବିଜେପିରେ ଚାଲିଥିବା ଏହି ଅନ୍ତଦ୍ୱନ୍ଦ୍ୱ ଆଗାମୀ ଦିନରେ ମହଙ୍ଗା ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.