ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦକ୍ଷିଣ-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସୋମବାର ସକାଳେ ସାମୁଦ୍ରିକ ଝଡ଼ ‘ମନ୍ଥା’ରେ ପରିଣତ ହୋଇଛି । ମଙ୍ଗଳବାର ଦିନ ‘ମୋନ୍ଥା’ ସମୁଦ୍ରରୁ ଅଧୁକ ବଳ ଗୋଟାଇ ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି, ଅପରାହ୍ନ ସୁଦ୍ଧା କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳରେ ସେପରି କିଛି ପ୍ରଭାବ ପଡିନି । ସମଗ୍ର ଟାଉନରେ ପ୍ରତ୍ୟୁଷରୁ ଅପରାହ୍ନ ସୁଦ୍ଧା କୋହଲା ପାଗ ସହ ଝିପି ଝିପି ବର୍ଷା ସାଙ୍ଗକୁ ସାମାନ୍ୟ ପବନ ବୋହୁଥିବା ବେଳେ ଆଭ୍ୟନ୍ତରଣ ଜଙ୍ଗଲ ଓ ନଦୀ କୂଳ ଗ୍ରାମାଞ୍ଚଳ ରେ ଅଧିକ ପବନ ସହ ବର୍ଷା ହେଉଛି । ପାଣିପାଗ ବିଭାଗର ସୂଚନାକୁ ଆଧାର କରି ସମଗ୍ର କନ୍ଧମାଳ ଜିଲ୍ଲାରେ ତିନିଦିନ ପାଇଁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ଯିବା ପାଇଁ ବାରଣ କରାଯାଇଛି, କିନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ନିୟମିତ ଆସିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ରହିଛି । ଏହି ‘ମୋନ୍ଥା’ ଆସୁଥିବା ଯୋଗୁଁ ଜନସାଧାରଣ ଓ ଯାନବାହାନରେ ଯାତାୟାତ ଯାତ୍ରୀମାନେ ସଚେତନ ହୋଇ ନିହାତି ଜରୁରୀ କାମ ନ ଥିଲେ ଦୂର ଦୁରାନ୍ତ କୁ କିମ୍ବା ବଜାରକୁ ନ ଯାଇ ନିଜ ଘରେ ରହିଥିବା ଦେଖିବାକୁ ମିଳିଛି । ଦୋକାନ ବଜାର ଗହଳ ଚହଳ ନ ଥିବାରୁ ଖାଁ ଖାଁ ଲାଗୁଛି । ଯାତ୍ରୀବାହୀ ବସ ଗୁଡିକ ରେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ଆସୁ ନଥିବା ଦେଖିବାକୁ ମିଳିଛି । ଗରିବ ଦିନ ମଜୁରିଆ, ଖଟିଖିଆ ମାନଙ୍କର କାମ ବନ୍ଦ ରହିଥିବାରୁ ଉପାସରେ ଥିବା ଜଣାପଡିଛି । ନଦୀ ନାଳ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ନଦୀ ନାଳକୁ ଯିବା ପାଇଁ ବାରଣ କରାଯାଇଛି । ଏ ସବୁକୁ ନେଇ ଜିଲ୍ଲା, ଉପଖଣ୍ଡ ଓ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ସମ୍ପୂର୍ଣ୍ଣ ସଜାଗ ରହିଥିବା ବିଷୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।
Prev Post
 
			