ରାୟଗଡା : ସମ୍ବାଦପତ୍ର ତଥା ସାମ୍ବାଦିକ ଗଣତନ୍ତ୍ରର ଚତୃର୍ଥ ସ୍ତମ୍ଭ । ସେମାନେ ଜାଗ୍ରତ ହେଲେ ଦୁର୍ନୀତି ହଟିବା ସହ ସମାଜରେ ସଂସ୍କାର ଆସିଥାଏ । ସାମ୍ବାଦିକମାନେ କର୍ତ୍ତବ୍ୟ ନିଷ୍ଠ, ସତ୍ୟ ସମ୍ବାଦ ପରିବେଷଣ କଲେ ସମାଜରୁ ଦୁର୍ନୀତି ହଟିବା ସହ ସଂସ୍କାର ଆସିପାରିବ ବୋଲି ବକ୍ତାମାନେ କହିଛନ୍ତି । ରବିବାର ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲ ସମ୍ମିଳନୀ କକ୍ଷରେ ଜି ଟିଭି ଭାରତ ଓଡ଼ିଆର ଷଷ୍ଠ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ଯୋଗଦେଇ କହିଥିଲେ ଯେ, ସାମ୍ବାଦିକଙ୍କ କଲମ ମୁନରେ ଅନେକ ଶକ୍ତି ଅଛି । ସେ ଚାହିଁଲେ ସମାଜରେ ଅନେକ କିଛି ପରିବର୍ତ୍ତନ ହୋଇପାରିବ । କୋଟିଆ କଥା ହେଉ କି କାଶୀପୁର, ଅନାହାର ଘଟଣା ପ୍ରଥମେ ସାମ୍ବାଦିକ ଲୋକଲୋଚନକୁ ଆଣିଥିଲେ । ତାପରେ ପ୍ରଶାସନର ଚେତା ପଶିଲା ଏବଂ ସମସ୍ୟାର ସମାଧାନ ପାଇଁ ସରକାର ତତ୍ପରତା ପ୍ରକାଶ କରିଥିଲେ । ସାମ୍ବାଦିକମାନେ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । ସେମାନଙ୍କ ସୁରକ୍ଷା ଓ ସମସ୍ୟାର ପ୍ରତିକାର ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ । ଏହି ସଭାରେ ମୁଖ୍ୟବକ୍ତା ଭାବେ ନବୀନ ପତ୍ରିକାର ସମ୍ପାଦକ ରବି ରଥ ଯୋଗଦେଇ ସାମ୍ବାଦିକମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଜି ଟିଭି ଭାରତର ମୁଖ୍ୟ ସମ୍ପାଦକ ରାମଦାସ ଲିମାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଓଡିଶା ପତ୍ରକାର ସଂଘ ରାଜ୍ୟ ସଭାପତି ତଥା ଇଂରାଜୀ ସମ୍ବାଦପତ୍ର ଓରିଶା ଟୁଡେ଼ର ସମ୍ପାଦକ ଅବିନାଶ ମିଶ୍ର, ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା ପ୍ରମୁଖ ଯୋଗଦେଇ ଜି ଟିଭି ଭାରତ କେବିକେ ଅଞ୍ଚଳର ସମ୍ବାଦକୁ ଅଧିକ ସ୍ଥାନ ଦେବା ସହ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେବ ବୋଲି କହିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଗୋବିନ୍ଦ ପ୍ରସାଦ ରଥ ବିଶିଷ୍ଠ ଶିକ୍ଷାବିତ୍, ହୀନା ଗେ, ଡ. ବିଜୟ କୁମାର ଚୌଧୁରୀ, ଜନ୍ମେଜୟ ସ୍ୱାଇଁ, ଆପାଲସ୍ୱାମୀ କାଡ୍ରାକା, ବିଦ୍ୟୁଲତା ହୁଇକାଙ୍କ ସମେତ ଅନ୍ୟାନ୍ୟ ସମାଜସେବୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଦୀପକ କୁମାର ପୃଷ୍ଠି, ପରିଚାଳନା ସମ୍ପାଦକ ଜି ଟିଭି ଭାରତ ଓଡିଆ ଧନ୍ୟବାଦ ଦେଇଥିଲେ ।