ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ପ୍ରେସ କ୍ଲବର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ହୋଟେଲ ବନମାଳୀ ପେଲେସଠାରେ କଣ୍ଟାବାଞ୍ଜି ପ୍ରେସ କ୍ଲବର ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଦୈନିକ ଖବର କାଗଜ ‘ପ୍ରମେୟ’ର କେବିକେ ସଂସ୍କରଣ ବ୍ୟୁରୋ ହେଡ ଅଖିଳ ଚନ୍ଦ୍ର ହୋତା ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି ଯେ, ଆଉ କେଇ ଦଶନ୍ଧି ମଧ୍ୟରେ ସାମ୍ବାଦିକଙ୍କୁ ଖବର ପାଖକୁ ଯିବାକୁ ପଡିବନି । ଖବର ଆଇଟି ସେଲରୁ ସିଧା ପାଠକ ପାଖକୁ ପହଞ୍ଚିବ । ଗଣମାଧ୍ୟମ କେବଳ ଜରିଆ ହୋଇ ରହିଥିବ । ଖବରକାଗଜରେ ସାଧାରଣ ଲୋକଙ୍କ କଥା ନଥିବ । ଗଣମାଧ୍ୟମ କେବଳ ସମ୍ଭ୍ରାନ୍ତଙ୍କ ସ୍ୱର ପାଲଟିଯାଇଥିବ । କୌଣସି ସମସ୍ୟା ହେଲେ ହୁଏତ ସରକାର କମିଶନ ବସାଇବେ, ତତନ୍ତ ବି ହେବ । କିନ୍ତୁ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବନାହିଁ । ଏହା ସତ୍ତ୍ବେ, ଏବେବି ଅନେକ ଖବର କେଉଁ ରାସ୍ତାକଡେ, ଅପହଞ୍ଚ ମଫସଲର ଝାଟିମାଟି କୁଡିଆ ଭିତରେ, ପଦା ହୋଇଯାଇଥିବା ଜଙ୍ଗଲରେ, ଅଚଳ ନଳକୂଅରେ ଆଉ ଫ୍ଲୋରାଇଡ ପାଣିରେ ଦହଗଞ୍ଜ ହେଉଥିବା ମଣିଷ ନିକଟରେ ରହିଛି । ସେ ଖବର ଗୁଡିକ ରୁଗ୍ଣ, ଅଥର୍ବ, ବାକ୍ ଶକ୍ତିହୀନ । ସେମାନେ ଗଣମାଧ୍ୟମ ପାଖକୁ ଚାଲିଚାଲି ଆସିପାରିବେ ନାହିଁ । ସାମ୍ବାଦିକମାନଙ୍କୁ ସେମାନଙ୍କ ନିକଟକୁ ଯିବାକୁ ହେବ । ତେବେ ଯାଇ ସାମ୍ବାଦିକତା ବଞ୍ଚିବ ବୋଲି କହିଛନ୍ତି । ଏହି ମଞ୍ଚରେ ମୁଖ୍ୟ ଅତିଥି ଭାବେ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତି ରୀତା ସାହୁ । ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାନ, କଣ୍ଟାବାଞ୍ଜି ଏନ୍ଏସି ଅଧ୍ୟକ୍ଷ ବରିୟମ ସିଂ ସାଲୁଜା, ହାଇକୋର୍ଟ ଓକିଲ ଆଶିଷ ମିଶ୍ର, ପ୍ରେସ କ୍ଲବର ସଭାପତି ପ୍ରଭାଜିତ ସିଂ ସାଲୁଜା, ସମ୍ପାଦକ ସୁବ୍ରତ ମହାକୁର ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ମଂଚାସୀନ ହୋଇଥିଲେ । କାର୍ଯ୍ୟକ୍ରମକୁ ସଂଯୋଜକ ମନୋଜ ଶର୍ମା ପରିଚାଳନା କରିଥିବା ବେଳେ ତୁଳସୀ ରାମ ଜଗତ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, ଦୀପକ ଯାଦବ, ରଶ୍ମିରଞ୍ଜନ ପୁଟେଲ, ସୁଶାନ୍ତ ବେହେରା, ଅନିଲ ତ୍ରିପାଠୀଙ୍କ ସହ କ୍ଲବର ସମସ୍ତ ସଦସ୍ୟାମାନେ ସହଯୋଗ କରିଥିଲେ ।
Prev Post