ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ମୁଖ୍ୟବକ୍ତା ଭାବେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଖଗେଶ୍ୱର ଦାସ, ସମ୍ମାନିତ ଅତିଥି ଭାବେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ହାସ୍ୟକବି ଦେବେନ୍ଦ୍ର ସାହୁ ଯୋଗ ଦେଇ ଶୁଭ ଉଦ୍‌ଘାଟନ କରି ଭଗବାନ ନୃସିଂହ ମହାପ୍ରଭୁଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସଭାରେ ସଭାପତିତ୍ୱ କରିଥିଲେ ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ । ସଭାରେ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ସବିତା ଭୋଇ । ଏହା ପରେ ବାର୍ଷିକ ବିବରଣୀ ପଠନ ଅଧ୍ୟାପିକା ନିରୁପମା ପ୍ରଧାନ । ବରଗଡର ହାସ୍ୟ କବି ଶ୍ରୀ ସାହୁ ନିଜର ବକ୍ତବ୍ୟ ପ୍ରଦାନ ସହ ହାସ୍ୟରସ ଯୁକ୍ତ କବିତା ପଠନ କରି ସମସ୍ତଙ୍କୁ ହସାଇ ହସାଇ ବେଦମ କରିଦେଇଥିଲେ । ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ନିଜର ସାରଗର୍ଭକ ଅଭିଭାଷଣ ଦେଇ ଛାତ୍ରଛାତ୍ରୀଙ୍କୁ ଭଲ ଭାବରେ ପାଠ ପଢି ଗୋଟିଏ ଭଲ ମଣିଷ ହେବା ପାଇ କହିଥିଲେ । ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦାଶ ଆମର ପୂର୍ବତନ ରାଷ୍ଟ୍ରପତି ବିଶିଷ୍ଠ ବୈଜ୍ଞାନିକ ଡକ୍ଟର ଅବଦୁଲ କଲ।ମ ଦେଇଥିବା ଦଶ ଗୋଟି ଆଦର୍ଶ ନୀତିରେ ଅନୁପ୍ରାଣିତ ହୋଇ ବଡ ମଣିଷ ହେବା ପାଇଁ ସ୍ୱପ୍ନ ଦେଖିବାକୁ ପରାମର୍ଶ ଦେଇଥିଲେ । ଶେଷରେ ମୁଖ୍ୟ ଅତିଥି ସାଂସଦ ଶ୍ରୀ ପୁରୋହିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନେକ ଶିକ୍ଷଣୀୟ ଟିପ୍ପଣୀ ଦେଇ ଗୁରୁଜୀ ମାନଙ୍କ କଥା ମାନିବା ସହ ଗୁରୁଜୀଙ୍କୁ ଭକ୍ତି କରିବା ସହ ମନ ଦେଇ ପାଠ ପଢି ବଡ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଦେଇଥିଲା ବେଳେ +୨କଳା ଓ ବିଜ୍ଞାନରେ ସର୍ବୋଚ୍ଚ ମାର୍କ ରଖିଥିବା ପ୍ରମୋଦିନୀ ପ୍ରଧାନ ଓ ରୁବି ସାହୁଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିବାନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.