ରାଉରକେଲା, (ସସ୍ମିତା ପ୍ରଧାନ) : ତରକେରା ସ୍ଥିତ ବିଦ୍ୟୁତ୍ କଲୋନୀ ଉଚ୍ଚ ବିଦ୍ୟାଳୟର ୩୪ତମ ବାର୍ଷିକୋତ୍ସବ ଓ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ସିଂହଙ୍କ ଆବାହକତ୍ୱ, ସ୍କୁଲ ପରିଚାଳନା କମିଟିର ସଭାପତି ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବ୍ରଜେନ୍ଦ୍ର ଦାଶ, ମୁଖ୍ୟବକ୍ତା ଭାବେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ଓଷ୍ଟାର ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଉଦିତନଗର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ଗାୟତ୍ରୀ ସେଠୀ, ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ରଘୁନାଥପାଲୀ କ୍ଲଷ୍ଟରର ସିଆରସିସି ବିଦ୍ୟୁତଲତା ସୁତାର, ସମାଜସେବୀ ପ୍ରମୋଦ କୁମାର ଗୋଏଲ, ଏସଏମସି ସଭ୍ୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅନନ୍ତ କୁମାର ନାୟକ ଓ ବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ପ୍ରହ୍ଲାଦ ରଣା ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ନିଜ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରି ପିଲାମାନଙ୍କ ପାଇଁ ଉଦାହରଣ ହେବାକୁ ଆହ୍ୱାନ ଦେଇଥିଲା ବେଳେ, ସମ୍ମାନିତ ଅତିଥି ଶ୍ରୀ ରାଉତ ଶିକ୍ଷା ପ୍ରତି ପ୍ରତିବଦ୍ଧତା ଓ ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ବିଦ୍ୟାଳୟ ସ୍ଥାପନାର ଫଳପ୍ରସୂ, ୯୮ ପ୍ରକାର ପ୍ରତିଭା, ଅସଫଳତା କିପରି ସଫଳତାର ପ୍ରଥମ ସୋପାନ ତଥା ମାତୃଭାଷା, ମାତୃଭୂମିର ଋଣ ଓ ସର୍ବୋପରି ସଂସ୍କାରିତ ହେବାପାଇଁ ମତ ରଖିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ମହାପାତ୍ର ବିଦ୍ୟାଳୟର ଅଗ୍ରଗତି ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସିଆରସିସି ଶ୍ରୀମତୀ ସୂତାର ଅବସର ନେଉଥିବା ଶ୍ରୀ ରଣାଙ୍କ ପାଇଁ କବିତା ମାଧ୍ୟମରେ ସମ୍ମାନ ପ୍ରଦର୍ଶନ କରିଥିଲେ । ଅନ୍ୟ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଛାତ୍ର ଛାତ୍ରୀମାନଙ୍କୁ ଭଲ ମଣିଷ ହେବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ସିଂହଙ୍କ ବକ୍ତବ୍ୟ ସମଗ୍ର ପରିବେଶକୁ ଭାବ ବିହ୍ୱଳ କରିଥିବା ବେଳେ ସୁରେନ୍ଦ୍ର କୁମାର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ରଣା ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ସହ ଏହି ମୁହୁର୍ତ୍ତ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ । ଅନ୍ୟଅତିଥିମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷକ ସର୍ବଶ୍ରୀ କମଳାକାନ୍ତ ରାଉତ, ଅଶୋକ ସାହୁ, ଶିଲା ନାୟକ, ପ୍ରଦୀପ ବିଶ୍ୱାଳ, ପ୍ରଫୁଲ୍ଲ ପ୍ରଧାନ, ଶିଶିର କୁମାର ପାଣି, ହୃଷିକେଶ ନାୟକ, ଅପର୍ଣ୍ଣା ସାମଲ, ସୁବାସୀ ଟପ୍ନୋ, ଅରୁଣ କୁମାର ସ୍ୱାଇଁ, ପ୍ରତାପ ପ୍ରଧାନ, ଦୈତାରୀ ଠାକୁର, ସୁରେନ୍ଦ୍ର କୁମାର ବେହେରା ତଥା ବୀଣାପାଣି ରାୟ, ନିବେଦିତା ମହାନ୍ତି, କ୍ଷଣପ୍ରଭା ବେହେରା, ଅମର କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବଚନୀ ରାଉତ, ସନ୍ତୋଷ କୁମାର ସ୍ୱାଇଁ, ରଞ୍ଜନ କୁମାର ଆଚାର୍ଯ୍ୟ ପ୍ରଶାନ୍ତ ମହାନ୍ତି, ତୁଳା ମୁଣ୍ଡା, ନୀତି ମୁଣ୍ଡା, ବିଳାସିନୀ ସ୍ୱାଇଁ, ଜୋସ୍ନା ମହାନ୍ତି, ହିରାମଣୀ ସୋରେନ ପ୍ରମୁଖ ସହଯୋଗ କରିଥିଲାବେଳେ ପ୍ରାରମ୍ଭରେ ସଂସ୍କୃତ ଶିକ୍ଷକ ଗଦାଧର ମିଶ୍ର ଶ୍ଳୋକ ପାଠ ତଥା ପ୍ରଧାନ ଶିକ୍ଷକ ଶ୍ରୀ ସିଂହଙ୍କ ନେତୃତ୍ୱରେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ଓ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।