ପିଏମ୍‌ଶ୍ରୀ ପି.ଆର. ହାଇସ୍କୁଲରେ ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଏମ୍‌ଶ୍ରୀ ପି.ଆର. ହାଇସ୍କୁଲ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠିଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠି ଯୋଗଦାନ କରି କର୍ମ ଏବଂ ଶୃଙ୍ଖଳା ଦ୍ୱାରା ଜଣେ ଆଦର୍ଶ ଶିକ୍ଷକ ଏବଂ ଛାତ୍ର ହେବା ପାଇଁ ତାଙ୍କ ବକ୍ତବ୍ୟରେ ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବଲାଙ୍ଗିର ପ୍ରବୀର ପଣ୍ଡା ସଭାରେ ଉପସ୍ଥିତ ରହି ଜୀବନରେ କୃତକାର୍ଯ୍ୟ ହେବା ପାଇଁ ଉଦ୍ୟମ ଏବଂ ଅଧ୍ୟବସାୟ ନିହାତି ଜରୁରି ବୋଲି ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ବିଦ୍ୟାଳୟର ପଂଚଶଖା ଶିକ୍ଷା ସେତୁର ସଂପାଦକ ତଥା ପିଏମ୍‌ଶ୍ରୀ କନ୍ଦକେଲ ଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାମ ଗୋପାଳ ଖମାରୀ ଶର୍ମା ଯୋଗ ଦେଇ ଛାତ୍ରମାନଙ୍କୁ ଶିକ୍ଷାରେ ଉନ୍ନତି କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ବିଦ୍ୟାଳୟର ପଂଚଶଖା ଶିକ୍ଷା ସେତୁର ସଭାପତି ବିଘ୍ନେଶ୍ୱର ମହାନ୍ତି ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟା ସାହିନା ବେଗମ ମଂଚାସୀନ ଥିଲେ । ବରିଷ୍ଠ ଶିକ୍ଷକ ବିକାଶ ରଂଜନ ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନ ତଥା ସଭା ସଂଯୋଜନା କରିଥିଲେ । ଗତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ବିନାୟକ ପଣ୍ଡା ଏବଂ ଚଳିତ ବର୍ଷ ବିଦ୍ୟାଳୟର ଶ୍ରେଷ୍ଠ ଆଦର୍ଶ ଛାତ୍ର ଭାବେ ଅର୍ଜୁନ କବାଟଙ୍କୁ ପୁରସ୍କୃତ କରାଯାଇଥିଲା । ସଭା ଶେଷରେ ଶିକ୍ଷିକା ମଲିମୟୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବର ଦ୍ୱିତୀୟାଧ୍ୟରେ ଛାତ୍ରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଏନ୍‌ସିସି, ଜୁନିୟର ରେଡକ୍ରସ, ସ୍କାଉଟ, ସ୍କୁଲ ବ୍ୟାଣ୍ଡ, ଏସ୍‌ପିସି ଦଳ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ତଥା କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.