ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମଧୁସ୍ମିତା ନାଏକ ଯୋଗଦେଇ ଏହି ଉତ୍ସବର ଶୁଭ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶୀଲ କୁମାର ମୁଣ୍ଡ, ସମ୍ମାନିତ ଅତିଥି ଭାବେ ଅଭିମନ୍ୟୁ ବାଗ, ସୁରେନ୍ଦ୍ର ନାଏକ, ନକୁଲ ଶବର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ ବାଗ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମାଝୀ ସ୍ୱାଗତ ଅଭିଭାଷଣ ଏବଂ ବାର୍ଷିକ ବିବରଣୀ ପଠନ କରିଥିଲେ । ଅତିଥିମାନେ ନିଜ ନିଜ ବକ୍ତବ୍ୟ ରଖିବା ସହ ଏଭଳି ଏକ ସୁନ୍ଦର ଆୟୋଜନ ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିଚାଳନା ସମିତି କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଅଭିଭାବକ ଅଭିଭାବିକା ଏବଂ ଜନ ସାଧାରଣଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସି.ଆର୍‌.ସି.ସି ନବଘନ ସାହୁ ଏବଂ ବରିଷ୍ଠ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଚୌଧୁରୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ବାର୍ଷିକ ଉତ୍ସବରେ କଲମପୁର କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବରଗାଁ କ୍ଲଷ୍ଟରର ସି.ଆର୍‌.ସି.ସି ଉପସ୍ଥିତ ରହିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ମଲ୍ଲିକା ନାଏକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା ସମିତି କର୍ମକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.