ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଜିଙ୍ଗଲ ବେଲ ଇଂଲିଶ ସ୍କୁଲର ୧୯ତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆର୍.ଏସ୍.ପି ଶିକ୍ଷା ବିଭାଗର ପ୍ରାକ୍ତନ ଅଧିକାରୀ ସୁରେଶ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେଯେ, ଏ ସଂସାରରେ କର୍ମର ମହତ୍ୱ ବେଶୀ । କର୍ମ ଅନୁସାରେ ଫଳ ମିଳିଥାଏ । ବିଦ୍ୱାନ ବ୍ୟକ୍ତିଙ୍କ ମତରେ ବିଦ୍ୟା ଦ୍ୱାରା ଅମୃତ ଲାଭ ହୋଇଥାଏ । ବିଦ୍ୟା ଦ୍ୱାରା ସୁଗୁଣ ଲାଭ ସହ ବିନୟୀ ହେଲେ ସୁଯୋଗ୍ୟ ବ୍ୟକ୍ତି ସୃଷ୍ଟି ହୋଇଥାନ୍ତି । ପ୍ରାରବ୍ଧ ଜ୍ଞାନ ଏ ଜନ୍ମରେ ଜ୍ଞାନ ଆହରଣକୁ ସୁଗମ କରିଥାଏ । ଅଭିଭାବକ ଓ ଶିକ୍ଷକ ମାନେ ପିଲାଙ୍କୁ ଶୈଶବ ଅବସ୍ଥାରୁ ହିଁ ପଢ଼ା ପ୍ରତି ଆଗ୍ରହ ଓ ସୁଯୋଗ ସୃଷ୍ଟି କଲେ ସେମାନେ ନିଶ୍ଚୟ ଜୀବନରେ ସଫଳ ବ୍ୟକ୍ତିତ୍ୱ ହେବେ ବୋଲି ଶ୍ରୀ ଭୋଇ କହିଥିଲେ । ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ପ୍ରିନସିପାଲ ଡ଼. ଉମାକାନ୍ତ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଲେ ଯେ, ପିଲାଙ୍କ ବ୍ୟକ୍ତିତ୍ୱ ବିକାଶ ପାଇଁ ଜାଗ୍ରତ ହେବାକୁ ହେବ । ଶିକ୍ଷାର ମୂଳ ଲକ୍ଷ୍ୟ ହେଲା ସ୍ୱୟଂ ସମ୍ପୂର୍ଣ୍ଣ ହେବା, ଆୟ କ୍ଷମ ହେବା । ସେଥିପ୍ରତି ନୂତନ ଶିକ୍ଷାନୀତିରେ ବ୍ୟବସ୍ଥା ରହିଛି । ପିଲାମାନଙ୍କୁ ସେହିପରି ଢଙ୍ଗରେ ଗଢିବାକୁ ହେବ । ସ୍ୱଦେଶୀ ଓ ପାରମ୍ପରିକ ଜ୍ଞାନ, କଳା,ସଂସ୍କୃତି ଓ ଶିକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ । ପିଲାର ସୃଜନଶୀଳତା, ଚିନ୍ତାଧାରାକୁ ଅନୁଶୀଳନ କରି ତାକୁ ସେହିପରି ମାର୍ଗ ଦର୍ଶନ କରାଇବା ସହ ନୈତିକ ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ୱାଇଏମ୍ଏଫ୍ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଆଜିର ଶିଶୁ ଆଗାମୀ ଦିନର ଭାବିଷ୍ୟତ । ସେମାନଙ୍କ ସ୍ୱପ୍ନ, ଚିନ୍ତନ ଓ ଉଦ୍ୟମକୁ ସାକାର ରୂପ ଦେବାରେ ଅଭିଭାବକ ଓ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ପିଲାମାନେ ନିଷ୍ଠାବାନ, ଆତ୍ମବିଶ୍ଵାସୀ ଓ ସମୟାନୁବର୍ତ୍ତୀତ ହେଲେ, ଆହ୍ୱାନର ମୁକାବିଲା କରି ଜୀବନରେ ସଫଳ ହେବେ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ରାଉରକେଲା ସରକାରୀ ଆଇଟିଆଇ ଅପରେଣ୍ଟିସ ବିଭାଗର ପୂର୍ବତନ ଉପଦେଷ୍ଟା ସୁରେନ୍ଦ୍ର ନାଥ ଜେନା ଯୋଗଦେଇ କହିଲେ ଯେ, ପିଲାଙ୍କ ମଧ୍ୟରେ ପ୍ରଥମେ ପାଠପଢ଼ା ପାଇଁ ଆଗ୍ରହ ସୃଷ୍ଟି କରାଯାଉ । ଅଭିଭାବକ ମାନେ ପିଲାଙ୍କୁ ଉତ୍ସାହିତ କରନ୍ତୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ ବୋଲି କହିଥିଲେ । ପ୍ରାରମ୍ଭରେ ସ୍କୁଲର ପ୍ରିନସିପାଲ ଶ୍ରୀମତୀ ଶେଫାଳି ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ ସହ ସ୍କୁଲର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ସ୍କୁଲ ପରିଚାଳନା କମିଟିର ସେକ୍ରେଟାରୀ ଆଡ଼ଭୋକେଟ ଶରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୁଶ୍ରୀ ଶିଭାଙ୍ଗି ପଣ୍ଡା ଓ କମଳ ଲୋଚନ ଗାରୁ ସଂଯୋଜନା କରିଥିଲେ । ଉଦ୍ଘାଟନୀ ଉତ୍ସବ ପରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହାପରେ ପିଲାମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ରକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶାଳିନୀ ପଣ୍ଡା ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।
Prev Post