ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଓ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମ ଦିନ ବିଦ୍ୟାଳୟ ପରିଚାଳନା ସଭାପତି ଗୀତାଞ୍ଜଳି ନାଏକଙ୍କ ଉପସ୍ଥିତିରେ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଅତିଥି ଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା କ୍ରୀଡା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପିଲାମାନଙ୍କୁ ସ୍ୱାସ୍ଥ୍ୟବାନ ହେବାକୁ ପରାମର୍ଶ ଦେଇଥିଲେ । ଦ୍ୱିତୀୟ ଦିବସ ବାର୍ଷିକ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୀତାଞ୍ଜଳି ନାଏକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । କୃଷ୍ଣଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସଭାରେ ଶିକାଛିଡା ସରପଂଚ କ୍ଷୀରେନ୍ଦ୍ରୀ ଶତପଥି ମୁଖ୍ୟ ଅତିଥି, ଶକ୍ଷାବିତ ଉମାକାନ୍ତ ନାଏକ ଓ ପ୍ରଧାନ ଶିକ୍ଷକ କେଦାରନାଥ ସାହ ସମ୍ମାନିତ ଅତିଥି ଭାବେ ଏବଂ ଶିଶୁ ସାହିତ୍ୟିକ ତଥା ଶିଶୁ ପତ୍ରିକା ମଠଖାଇର ସଂପାଦକ ମଦନ ମୋହନ ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ଶାରୀରିକ ଓ ମାନସିକ ସୁସ୍ଥତା ସହିତ ଆତ୍ମବୋଧରୁ ବିଶ୍ୱବୋଧକୁ ଉଦ୍ଧ୍ୱର୍ମୁଖୀ ହେବାକୁ ପରାମର୍ଶ ଦେଇଥିଲେ । ପୂର୍ବରୁ ହୋଇଯାଇଥିବା କ୍ରୀଡା ପ୍ରତିଯୋଗିତାର ଓ ପ୍ରବନ୍ଧ, ବକ୍ତୃତା ଓ ନାଚ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସଭାରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସଭାକୁ ପରିଚାଳନା କରିଥିଲେ । ଲଲାଟ କେଶରୀ ପ୍ରଧାନ, କ୍ରୀଡା ଶିକ୍ଷକ ନୀଳାଂଚଳ କୁଅଁର କ୍ରୀଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ଭାଗ ନେଇଥିବାରୁ ଛାତ୍ରୀ ଖୁସି ତାଣ୍ଡିଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ସାଧନା ପଣ୍ଡା, ପଦ୍ମାବତୀ ପୋଡ, ରାଜେନ୍ଦ୍ର କୁଅଁର, ହରେରାମ ବାରିକ ଓ ପୂର୍ବତନ ଛାତ୍ରଛାତ୍ରୀମାନେ । ଶେଷରେ ଶିକ୍ଷକ ଅନିଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।