ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ବୁଧବାର ସାମାନ୍ୟ ବର୍ଷାରେ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳିଛି । ସହରର ଡ୍ରେନେଜ ବ୍ୟବସ୍ଥା ଠିକ ନଥିବା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବଡ ବଜାରରେ ବର୍ଷା ଜଳ ଜମି ରହିଥିବା ବେଳେ ଦାମୋଦରପୁର ସ୍କୁଲ ହତାରେ ବର୍ଷା ଜଳ ଲହଡି ମାରୁଛି । ଏଥିସହ ଅନେକ ସାହି ମାନଙ୍କରେ ଜଳ ନିଷ୍କାସନ ନ ହୋଇ ଜମାଟ ବାନ୍ଧି ଅଟକିଥିବା ଦେଖିବାକୁ ମିଳିଛି । ଉକ୍ତ ବର୍ଷା ପାଣିରେ ଛାତ୍ରୀଛାତ୍ରଙ୍କ ଠାରୁ ଆରମ୍ଭ କରି ଜନସାଧାରଣରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ଆସନ୍ତାକାଲି ସ୍କୁଲ ପିଲାମାନେ ପାଣିରେ କିଭଳି ଶ୍ରେଣୀ ଗୃହକୁ ପାଠ ପଢିବାକୁ ଯିବେ ତାହା ଅଭିଭାବକ ମହଲରେ ଚିନ୍ତାର ବିଷୟ ପାଲଟିଛି । ବର୍ଷା ଛାଡିବା ପରେ ମଧ୍ୟ ଜମିଥିବା ପାଣି ନିଷ୍କାସନ ହେବାର କୌଣସି ବ୍ୟବସ୍ଥା ନାହିଁ କେବଳ ସୂର୍ଯ୍ୟତାପ ଏକ ମାତ୍ର ବିକଳ୍ପ ବୋଲି ସହରରେ ଆଲୋଚନା ହେଉଛି । ଏନ୍ଏସି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ଏସମ୍ପର୍କରେ ଏନ୍ଏସି ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କୁ ପଚାରିବାରେ ଖୁବ ଶୀଘ୍ର ଡ୍ରେନ ଗୁଡିକ ମରାମତି କରାଯିବ ବୋଲି ସେ କହିଛନ୍ତି ।
