
ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କେନ୍ଦ୍ରସରକାରଙ୍କ ଅଧିନରରେ ଥିବା ବଡ଼ମାଳ ଗୋଳାବାରୁଦ କାରଖାନାରେ ଉତ୍ପାଦିତ ଗୋଳାବାରୁଦ ବିକ୍ରିର ମୂଲ୍ୟ ମାତ୍ର ୩ ବର୍ଷରେ ଦ୍ୱିଗୁଣିତ ହୋଇସାରିଛି । ଏହା ୨୦୨୧- ୨୨ ବର୍ଷରେ ୪୪୩ କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୮୯୦ କୋଟି ଟଙ୍କାରେ ପହଞ୍ଚି ପାରିଛି । ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ ବୃହତ ରପ୍ତାନୀ ଅର୍ଡର ମଧ୍ୟ ପାଇଛି । ନିଗମର ଅନ୍ୟ କାରଖାନାମାନଙ୍କ ତୁଳନାରେ ଏହା ଏକ ଅଗ୍ରଣୀ ରପ୍ତାନି କେନ୍ଦ୍ର ପାଲଟିଛି । କ୍ରମାଗତ ଦୁଇବର୍ଷ ଧରି ୨୦୦ କୋଟିରୁ ଅଧିକ ମୂଲ୍ୟର ରପ୍ତାନି ଟାର୍ଗେଟ ହାସଲ କରିଛି । ବଡମାଳ କାରଖାନା ବିସ୍ଫୋରକ ସାମଗ୍ରୀର ଏକ କାରଖାନା ହୋଇଥିବାରୁ ଏଠାରେ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ । ଏହି କାରଖାନାକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ସୁରକ୍ଷା ସମ୍ବନ୍ଧିତ ନିର୍ଦ୍ଦେଶନାମା ଗୁଡିକୁ କଡାକଡି ଭାବେ କାର୍ୟ୍ୟକାରୀ କରାଯାଉଛି ବୋଲି କାରଖାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ମହାପ୍ରବନ୍ଧକ ପ୍ରଦୀପ କୁମାର ଦାସ ସୂଚନା ଦେଇଛନ୍ତି । ଜନସମ୍ପର୍କ ଅଧିକାରୀ ଦିଲ୍ଲୀପ ଚନ୍ଦ୍ର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କାରଖାନାର ଅନ୍ୟାନ୍ୟ ଶାଖାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।