
ଫୁଲବାଣୀ : ସରକାରୀ କାର୍ଯ୍ୟ ପାଇଁ ଲାଞ୍ଚ ନେବା ଅଭିଯୋଗରେ ଆଜି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଜନୈକ ଡାକ୍ତରଙ୍କୁ ତିନି ବର୍ଷ ସଶ୍ରମ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ତାଙ୍କୁ ୫ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକ ତିନି ମାସ ଜେଲ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଡାକ୍ତର ଜଣକ ହେଲେ ଫିରିଙ୍ଗିଆର ତତ୍କାଳୀନ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ନିଶିଥ ନିଶାନ୍ତ ମାଲୁ । ସୂଚନା ଯୋଗ୍ୟ ଯେ, ୨୦୨୧ ମସିହାରେ ଡ. ମାଲୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଇନଚାର୍ଜ ଭାବେ କାର୍ଯ୍ୟରତ ଥିଲେ । ସେଠାରେ ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ଥିବା ବେଣୁପାଣି ଦିଗାଲଙ୍କ ଆରସିଏମ ବିଲ କରିଦେବା ପାଇଁ ସେ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ବେଣୁପାଣି ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ୨୦୨୧ ମାର୍ଚ୍ଚ ୩୧ ତାରିଖ ଦିନ ଡ ମାଲୁ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବ୍ରହ୍ମପୁର ଭିଜିଲାନ୍ସ ଟିମ଼ ତାଙ୍କୁ ମାଡି ବସିଥିଲେ । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୭/୨୧ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଡାକ୍ତରଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।