ଲିଖିତ ଅଭିଯୋଗ କରି ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ଲୋଇସିଂହା ବିଧାୟକଙ୍କ ବର୍ଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକ ବଜେଟ ପୂର୍ବରୁ ନବସି ପରେ ବସିଥିବା ତଥା ଦୀର୍ଘ ୪ ବର୍ଷ ବ୍ୟବଧାନରେ ବସିଥିବା କାରଣରୁ ଏହାକୁ ଏକ ମୂଲ୍ୟହୀନ ବୈଠକ କହି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ବର୍ଜନ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ବିଧାୟକ ଡ. ମୁକେଶ ମହାଲିଙ୍ଗ ଏହି ବୈଠକରେ ଯୋଗଦେବାକୁ ପ୍ରଶାସନର ଚିଠି ପାଇବା ପରେ ଜିଲ୍ଲାର ଉନ୍ନୟନ ନେଇ କିଛି ସୂଚନା ପାଇଁ ଜିଲ୍ଲାପାଳଙ୍କୁ ଗତ ୧୧.୨.୨୦୨୩(୧)ରେ ବୁକ ସାର୍କୁଲାର ୪୭ ଅନୁଯାୟୀ ଚିଠି କରିଥିଲେ । କିନ୍ତୁ ସଂପୂର୍ଣ୍ଣ ତଥ୍ୟ ନଦେଇ ଉତ୍ତର ଦେବାକୁ ଉଚିତ୍‌ ମଧ୍ୟ ମଣି ନଥିଲେ । ତେବେ ସେହି ସୂଚନା ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ଥିବା କହି ବିଧାୟକଙ୍କୁ ଚିଠିର ଉତ୍ତର ଦିଆଯାଇଥିଲା । ତେଣୁ ବିଧାୟକ ଜଣେ ଜନପ୍ରତିନିଧି ହୋଇଥିଲେ ହେଁ ସୂଚନା ନଦେଇ ସରକାରୀ କଳ ମନମୁଖୀ ଭାବରେ କାର୍ଯ୍ୟ କରୁଥିବା ଅଭିଯୋଗ ଉଠାଇଛନ୍ତି । ଏହା ସହିତ ଗତ ୨୦୧୯ରେ ଶେଷ ଥର ଜିଲ୍ଲା ଯୋଜନା ବୋର୍ଡ ବସି ମନମୁଖୀ ଭାବରେ ପ୍ରକଳ୍ପ କାମ କରାଯାଇଥିଲା । ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷର ଖସଡାକୁ ମନମୁଖୀ ଭାବରେ ପ୍ରସ୍ତୁତ କରି ବେଆଇନ ଭାବରେ ଏହାକୁ ଅନୁମୋଦନ କରାଯିବାକୁ ଏହି ବୈଠକ କରାଯାଇଥିବା ବିଧାୟକ ଡ. ମହାଲିଙ୍ଗ ଅଭିଯୋଗ କରିଛନ୍ତି । ବିଧାୟକଙ୍କୁ ଦିଆଯାଇଥିବା ଚିଠିରେ ଏଜେଣ୍ଡା ନୋଟର ପଏଣ୍ଟ ନମ୍ବର ୩ରେ କେଉଁ ଆର୍ଥକ ବର୍ଷର କମ୍ପ୍ରିହେନ୍ସିଭ ଡିଷ୍ଟ୍ରିକ୍ଟ ପ୍ଲାନକୁ ଜିଲ୍ଲା ଯୋଜନା କମିଟି ବୈଠକରେ ଅନୁମୋଦନ ଦିଆଯିବ ତାହା ଉଲ୍ଲେଖ ନାହିଁ । ରାଜ୍ୟ ବଟେଜ ସରିବା ପରେ ୨୦୨୩-୨୪ ଆର୍ଥିକ ବର୍ଷର ଯୋଜନା ପ୍ରସ୍ତୁତ କରିବା ପାଇଁ ବୈଠକ ଡାକିବା ଘଟଣା ବଲାଙ୍ଗିର ଜିଲ୍ଲାର ବିକାଶ ପାଇଁ ଇଚ୍ଛାଶକ୍ତିର ଅଭାବ ତଥା ଉପହାସ ବୋଲି ବିଧାୟକ ଡ. ମହାଲିଙ୍ଗ କହିଛନ୍ତି । ତେଣୁ ସେ ଏହି ବୈଠକକୁ ବର୍ଜନ କରିବା ସହିତ ତାଙ୍କର ପ୍ରତିବାଦକୁ ବୈଠକର ଚିଠାରେ ଉଲ୍ଲେଖ କରିବାକୁ ଚିଠି କରିଛନ୍ତି । ଏ ବିଷୟରେ ସେ ରାଜ୍ୟର ମୁଖ୍ୟ ଶାସନ ସଚିବ, ରାଜ୍ୟ ଉନ୍ନୟନ ସଚିବ, ଶିକ୍ଷାମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଚିଠି କରି ଅବଗତ କରିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କିମ୍ବା ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.