ବରଗଡରେ ସରକାରୀ କୋଭିଡ଼ ହସ୍ପିଟାଲ ଖୋଲିବା ଦାବୀରେ ଧାରଣା

ବରଗଡ଼, (ନିରୋଜ କୁମାର ପାଣୀ) : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବରଗଡ଼ରେ ବଢ଼ି ଚାଲିଥିବା ବେଳେ ଗତକାଲି ୮୪ଟି କେସ୍ ସାମ୍ନାକୁ ଆସିଥିଲା । ହେଲେ ସରକାରୀ କୋଭିଡ଼ ହସ୍ପିଟାଲ ବନ୍ଦ ହୋଇଥିବାରୁ ରୋଗୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି । ବାଧ୍ୟ ହୋଇ ପ୍ରାଇଭେଟ ହସ୍ପିଟାଲକୁ ଯାଇ ମୋଟା ଅଙ୍କର ଅର୍ଥ ଦେବାକୁ ପଡୁଥିବା ଅଭିଯୋଗ କରିଛି ହସ୍ପିଟାଲ ବଞ୍ଚାଅ ଅଭିଯାନ ଓ ସମ୍ବିଧାନ ସୁରକ୍ଷା ମଞ୍ଚର ସଦସ୍ୟ ମାନେ । ଶୁକ୍ରବାର ବରଗଡ଼ରେ ନୂତନ ଭାବେ ନିର୍ମାଣ ହୋଇଥିବା ବାବା ସାହେବ ଆମ୍ବେଦକର ଷ୍ଟେଚ୍ୟୁ ସାମ୍ନାରେ ଧାରଣାରେ ବସି ସରକାରୀ କୋଭିଡ ହସ୍ପିଟାଲକୁ ତୁରନ୍ତ ଖୋଲିବାକୁ ଦାବୀ କରିଥିଲେ । ପ୍ରାଇଭେଟ ହସ୍ପିଟାଲରେ ୨୫ ହଜାର ଟଙ୍କା ଦିନକୁ ବେଡ଼ ଚାର୍ଜ ନେଉଥିବାରୁ ଏହା ସାଧାରଣ ଲୋକଙ୍କ ଉପରେ କୋରଡା ମାଡ ବୋଲି ରମେଶ ମହାପାତ୍ର କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଭବାନୀ ସାହୁ, ପବିତ୍ର ଦେହେରି, ରମେଶ ପତି, ସ୍ୱାମୀ ଧ୍ୟାନ ଦୀପକ, ମରିୟମ ବାର୍ଳା, ବଳରାମ ଦୀପ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.