jayashree

ଚମକିବ ବାରପାହାଡ ଦେବୀପୀଠ : ବିକାଶ ପାଇଁ ୨୮ଲକ୍ଷ ୮୯ହଜାର ଟଙ୍କାର ଅନୁଦାନ

ତରଭା : ରାଜ୍ୟ ସରକାର ବିଭିନ୍ନ ଧର୍ମାନୁଷ୍ଠାନଗୁଡିକର ଉନ୍ନତିକରଣ ପାଇଁ ଅନୁଦାନ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କଠାରୁ ଆପତ୍ତି ଅଭିଯୋଗ ଶୁଣିଥିଲେ । ସେଥିରେ ତରଭା ବ୍ଲକ ଅନ୍ତର୍ଗତ ପାଇକ ବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଜପାଲି ମୌଜାରେ ଥିବା ବାରପାହାଡ ଦେବୀପୀଠର ଉନ୍ନତିକରଣ ପାଇଁ ଅଞ୍ଚଳର ଜନସାଧାରଣଙ୍କ ତରଫରୁ ୫-ଟି ସିଚବଙ୍କ ପାଖରେ ଦାବୀ ହୋଇଥିଲା । ବାରପାହାଡ ରିଜର୍ଭ ଜଙ୍ଗଲ ଉପରେ ଏକ ଗୁମ୍ଫାରେ କାହିଁ କେଉଁ ଆବାହମାନ କାଳରୁ ଗଣ୍ଡ ଆଦିବାସୀଙ୍କ ଇଷ୍ଟଦେବତା ଦେବୀପାରପାହାଡ (ଲିଙ୍ଗୋ) ପୂଜା ପାଇ ଆସୁଛନ୍ତି । ଏକ ପ୍ରାକୃତିକ ପରିବେଶ ମଧ୍ୟରେ ରହିଥିବା ଏହି ଗୁମ୍ଫାରୁ ବାହାରି ଥିବା ଝରଣା ଲୋକଙ୍କୁ ଆକର୍ଷିତ କରିଥାଏ । ସେହିକ୍ରମରେ ୫-ଟି ସଚିବଙ୍କ ନିର୍ଦ୍ଦେଶରେ ରାଜ୍ୟ ପର୍ୟ୍ୟଟନ ବିଭାଗ ଏହି ପୀଠର ବିକାଶ ପାଇଁ ୨୮ଲକ୍ଷ ୮୯ହଜାର ଟଙ୍କା ମଞ୍ଜୁର କରିଛନ୍ତି । ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ବାଳମୁକୁନ୍ଦ ଭୂୟାଁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଦେଇଥିବା ପତ୍ରସଂଖ୍ୟା ୭୮୭୬ ତା.୧୦.୮.୨୦୨୩ରୁ ଜଣାଯାଇଛି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ପାପକ୍ଷୟଘାଟ ପାଇଁ ୪୫ ଲକ୍ଷ ଟଙ୍କା, ସୋନପୁରର ସୁବର୍ଣ୍ଣମେରୁ ମନ୍ଦିର ପାଇଁ ୩୦ ଲକ୍ଷ ୫୭ହଜାର ଟଙ୍କା, ଉଲୁଣ୍ଡାର ମା’ ମେଟାକାନୀ ମନ୍ଦିର ପାଇଁ ୨୬ ଲକ୍ଷ ୯୬ହଜାର ଟଙ୍କା ଓ ତରଭା ବ୍ଲକର ରାଜପାଲିର ଦେବୀ ବାରପାହାଡପୀଠ ପାଇଁ ୨୮ଲକ୍ଷ ୮୯ ହଜାର ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି । ସେହିପତ୍ର ପାଇଲା ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକଙ୍କୁ ତାଙ୍କ ପତ୍ରସଂଖ୍ୟା ୮୯୯୪ ତା ୨୩.୮.୨୦୨୩ ରେ ଡିପିଆର ଓ ଅଟକଳ ପ୍ରସ୍ତୁତ କରିବାକୁ ଜଣାଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ଏହି ଅନୁଦାନ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୋନପୁର ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ, ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି । ଏହି ଅନୁଦାନ ପାଇଁ ତରଭା ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ, ଜିଲ୍ଲାପରିଷଦ ସଦସ୍ୟା ଅଞ୍ଜଳି କମ୍ପ, ପାଇକ ବାହାଲ ଗ୍ରାମପଞ୍ଚାୟତର ସରପଞ୍ଚ ଗଣନାଥ ସାହୁ, ସମିତିସଭ୍ୟ ରାଜକିଶୋର ଭୁଏ, ଦେଉଳପଦର ସରପଞ୍ଚ ସୁପ୍ରୀୟା କମ୍ପ, ସମିତିସଭ୍ୟା ଭାଗ୍ୟବତୀ ସରଭଙ୍ଗ, ମେଣ୍ଡା ସରପଞ୍ଚ ଲିଜାରାଣୀ ଦଣ୍ଡସେନା, ସମିତିସଭ୍ୟ ଲକ୍ଷ୍ମୀପ୍ରୀୟା ମିଶ୍ର, ଆଞ୍ଚଳିକ ବାରପାହାଡ ସେନା, ବାରାପାହାଡ ଉନ୍ନୟନ କମିଟି ପକ୍ଷରୁ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଦେବୀ ବାରପାହଡପୀଠ ପାଇଁ ଆସିଥିବା ୨୮ଲକ୍ଷ୮୯ହଜାର ଟଙ୍କାର ଅନୁଦାନରେ ଏଠାରେ ପିକନିକ ପିଣ୍ଢି(୮ଲକ୍ଷ), ସୋଲାର ପାୱାର ଚାଳିତ ଜଳ ଯୋଗାଣ (୪ଲକ୍ଷ), ପରିମଳ ଡଷ୍ଟବିନ(୧ଲକ୍ଷ), ବାଇଓ ଟୟଲେଟ (୪ଲକ୍ଷ), ସିଗନେଜ(୧ଲକ୍ଷ), ସିଟିଂବେଞ୍ଚ (୨ଲକ୍ଷ)ରେ ଖର୍ଚ୍ଚ କରାଯିବ ବୋଲି ଚିଠିରେ ନିର୍ଦ୍ଦେଶ ରହିଛି । ତେବେ ଏହି ଉନ୍ନୟନ ନେଇ ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରେ ଥିବା ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଆର.କେ.ଦଳାଇଙ୍କୁ ପଚାରିବାରୁ ଖୁବଶୀଘ୍ର ଏହି ପୀଠକୁ ଏକ ବୈଷୟିକ ଟିମ ପହଞ୍ଚି ଡିପିଆର ଓ ଅଟକଳ ପ୍ରସ୍ତୁତ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.