ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶ୍ମଶାନକୁ ପୋଡାହେବା ପାଇଁ ଶବ ଯାଇଥିଲା । ଜୁଇ ପ୍ରସ୍ତୁତ ହେବାକୁ ବାକିଥିବା ବେଳେ ଶ୍ମଶାନରେ ପହଞ୍ଚି ଯାଇଥିଲା ପୋଲିସ । ଆଉ ହତ୍ୟା ସନ୍ଦେହରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ପଠାଇଥିବା ଜଣାପଡିଛି । ସୋନପୁର ଟାଉନ ଥାନା ଚମାରପଡାର ସ୍ୱର୍ଗତ ବିଦ୍ୟାଧର ରାଉତଙ୍କ ଝିଅ ଜାନକୀ(୩୨) ଗତ ୨୦୧୦ ମସିହାରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଚମାରପଡାର ଭୁବନ ମେହେରଙ୍କ ପୁଅ ମକାରୁଙ୍କୁ ବିବାହ କରିଥିଲେ । ଉଭୟଙ୍କ ଆଠ ବର୍ଷର ଏକ ପୁଅ ଥିବା ଜଣାପଡିଛି । ତେବେ ଗତ ପ୍ରାୟ ଦୁଇବର୍ଷ ହେବ ମକାରୁ ଗୁଣି ଗାରେଡି କାମ କରିବା ସହିତ ଜାନକୀଙ୍କୁ ସବୁବେଳେ ଏକ କୋଠରୀରେ ବନ୍ଦ କରି ରଖୁଥିବା ମୃତା ମହିଳାଙ୍କ ଭାଇ ଅରୁଣ ରାଉତ ଅଭିଯୋଗ କରିଛନ୍ତି । ଆଜି ସକାଳେ ଜାନକୀ ମରି ଯାଇଥିବା ଖବର ପାଇ ସୋନପୁରରୁ ମୃତା ମହିଳାଙ୍କ ବାପଘର ଲୋକେ ଲୋଇସିଂହା ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଗତ ୩ରୁ ୪ ଦିନ ତଳେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଶବଟି ଫୁଲିଯାଇ ଦୁର୍ଗନ୍ଧ ହେଉଥିବା ଦେଖିବାକୁ ମିଳିଛି । ପୋଲିସ ନିକଟସ୍ଥ କୁଶଙ୍ଗେଇ ଯୋରଠାରେ ଥିବା ଶ୍ମଶାନକୁ ପହଂଚି ମୃତା ମହିଳାଙ୍କ ଶ୍ୱଶୁର ଘର ଲୋକଙ୍କୁ ପଚରାଉଚୁରା କରିଥିଲା । ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ, ଲୋଇସିଂହା ଆଇଆଇସି ଯଜ୍ଞସେନୀ ନାୟକ ପ୍ରମୁଖ ସାଇଣ୍ଟିଫିକ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ପଠାଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!