ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଟେବୁଲ ଟପ୍‌ ଏକ୍ସରସାଇଜ

  • ବିପର୍ଯ୍ୟୟର ଅତ୍ୟନ୍ତ ଗୁରୁତର ପ୍ରଭାବକୁ ଧ୍ୟାନରେ ରଖି ସମସ୍ତ ବିଭାଗ ପ୍ରସ୍ତୁତ ରୁହ : ଜିଲ୍ଲାପାଳ
  • ଜିରୋ କାଜୁଆଲିଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଳା ପାଇଁ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକ୍ସରସାଇଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜରୁରୀକାଳୀନ ଶାଖା ଦ୍ଵାରା ଆହୂତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ଉଚିତ ମୁକାବିଲା ପାଇଁ ବିଭାଗୀୟ ପ୍ରସ୍ତୁତି ଓ କାର୍ଯ୍ୟକାରିତା ଉପରେ ବିଭିନ୍ନ ବିଭାଗ ବନ୍ୟା ପୂର୍ବରୁ, ବନ୍ୟା ସମୟରେ ଓ ବନ୍ୟା ପରବର୍ତ୍ତୀ ପଦକ୍ଷେପ ଉପରେ ଅଧିକାରୀମାନେ ବିଭାଗୀୟ କାର୍ଯ୍ୟକ୍ରମର ବିସ୍ତୃତ ତଥ୍ୟ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ । ଜିଲ୍ଲାପାଳ ଶ୍ରୀ ରାୟ ବିଭାଗମାନଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମର ତଥ୍ୟ ଗୁଡିକର ପ୍ରତ୍ୟେକଟି ବିନ୍ଦୁ ଉପରେ ବିଷଦ ଭାବରେ ଆଲୋଚନା କରି ସମ୍ଭାବ୍ୟ ବନ୍ୟାର ସଠିକ୍‌ ଓ ସଫଳ ମୁକାବିଳା ନିମନ୍ତେ ବିପର୍ଯ୍ୟୟର ଅତ୍ୟନ୍ତ ଗୁରୁତର ପ୍ରଭାବକୁ ଧ୍ୟାନରେ ରଖି ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇ ବନ୍ୟା ଆଶ୍ରୟ ସ୍ଥଳୀ ମାନଙ୍କରେ ସମୟ ପୂର୍ବରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହିତ ବନ୍ୟା ସମ୍ୱନ୍ଧୀୟ ଯେକୌଣସି ପୂର୍ବ ସୂଚନାର ବ୍ୟାପକ ଜନ ସଚେତନତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଏହି ପରିପ୍ରେକ୍ଷୀରେ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସୁସମ୍ପର୍କ ରକ୍ଷା ପୂର୍ବକ କାର୍ଯ୍ୟ କରି ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ସମ୍ପୃକ୍ତ ପ୍ରତ୍ୟେକ ଅଧିକାରୀ ତଥା କର୍ମଚାରୀ ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି ସ୍ଥିତି ପରିସ୍ଥିତିକୁ ଦେଖି ତ୍ୱରିତ ପଦକ୍ଷେପ ପାଇଁ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । କାର୍ଯ୍ୟର ବ୍ୟବସ୍ଥିତ ପରିଚାଳନା ନିମନ୍ତେ ଜିଲ୍ଲାସ୍ତର, ଉପଖଣ୍ଡସ୍ତର, ବ୍ଲକସ୍ତର ତଥା ସମ୍ପୃକ୍ତ ବିଭିନ୍ନ ବିଭାଗ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମକୁ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀ ତଥା ବିଡ଼ିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ବିଗତ ବର୍ଷର ଅଭିଜ୍ଞତାକୁ ନେଇ ନିଜ ବିଭାଗ ସମ୍ପୃକ୍ତ ସମ୍ବେଦନଶୀଳ କାର୍ଯ୍ୟକୁ ସମୟ ପୂର୍ବରୁ ବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଆଶ୍ରୟସ୍ଥଳୀ ସଂଯୋଜକ ସୁଦେଶ କୁମାର ସେଠୀ ଯୋଗଦାନ କରି ବିପର୍ଯ୍ୟୟର ମୁକାବିଳା ନିମନ୍ତେ ଓସଡ଼ମା ଓ ଏନ୍‌ଡିଆର୍‌ଏଫ୍‌ର ଭୂମିକା ଉପରେ ଆଲୋକପାତ କରି ପ୍ରତ୍ୟେକ ବିଭାଗ ସଂଗଠିତ ହୋଇ ନିଜ ନିଜର ଦାୟିତ୍ୱକୁ ନିଷ୍ଠାର ସହ ସମ୍ପାଦନ କଲେ ଆମେ ନିଶ୍ଚିତ ସଫଳ ହେବା ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ବ୍ଲକ ସ୍ତର ସହ ମ୍ୟୁନିସିପାଲିଟି ସୋନପୁର, ଏନ୍‌ଏସି ବିନିକା ଓ ତରଭାରେ ମଧ୍ୟ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ତା ୧୯/୦୬/୨୩ ପୂର୍ବାହ୍ନ ୯ ଘଟିକା ସମୟରେ ଜିଲ୍ଲାରେ ଥିବା ୬ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀଠାରେ ମକ ଡ୍ରିଲ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଉପସ୍ଥିତ ରହିଥିବା ବେଳେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ସିଡିଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର, ଉପ ଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ବୀରମହାରାଜପୁର ଉପ ଜିଲ୍ଲାପାଳ ଅଶୋକ ଭୋଇ ପ୍ରମୁଖ ଯୋଗଦାନ କରି ନିଜ ନିଜର ସୁ ଚିନ୍ତିତ ମତବ୍ୟକ୍ତ କରି ସମ୍ଭାବ୍ୟ ବନ୍ୟାର ଉଚିତ ମୁକାବିଲା ନିମନ୍ତେ ବିଭାଗ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଦୃଢ଼ ମାନସିକତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ବିଭାଗ ନିଜ ସ୍ତରରେ ମାଇକ୍ରୋ ପ୍ଲାନିଂ କରି ବିଭାଗୀୟ କାର୍ଯ୍ୟର ଦାୟିତ୍ୱ ବଣ୍ଟନକୁ ନିଶ୍ଚିତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ସୋନପୁର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ବିନିକା ଓ ତରଭା, ବିଭିନ୍ନ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲା ଜରୁରୀ ଶାଖା ଅଧିକାରୀ ଆନନ୍ଦ କୁମାର ପଣ୍ଡା ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଜରୁରୀ ଶାଖାର ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ନାୟକ କାର୍ଯ୍ୟକ୍ରମର ରୂପରେଖ, ବ୍ୟବସ୍ଥିତ କାର୍ଯ୍ୟଖସଡ଼ା ଉପରେ ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.