ବନ୍ୟା ବିତ୍ପାତ ଅଂଚଳ ବୁଲିଲେ ନରସିଂହ : ତୁରନ୍ତ ରିଲିଫ୍‌ ଯୋଗଇ ଦେବାକୁ ଦେଲେ ନିର୍ଦ୍ଦେଶ

  • ସ୍ଥାୟୀ ସମାଧାନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବୀ ଦୋହରାଇଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇ ଦିନ ଲଗଣା ବର୍ଷାରେ ବଲାଙ୍ଗିର ସହରର ତଳି ଅଂଚଳଗୁଡିକରେ ବନ୍ୟା ସ୍ଥିତି ଦେଖା ଦେଇଛି । ଆଜି ସକାଳୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉକ୍ତ ଅଂଚଳ ଗୁଡିକୁ ପରିଦର୍ଶନ କରିବା ସହ ଗରିବ ଅସହାୟଙ୍କୁ ତୁରନ୍ତ ରିଲିଫ ଯୋଗଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବଲାଙ୍ଗିର ସହରାଂଚଳରେ ବାରମ୍ବାର ବନ୍ୟା ପରିସ୍ଥିତି ଦେଖା ଯାଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ଶ୍ରୀ ମିଶ୍ର ସରକାରଙ୍କୁ ସ୍ୱତନ୍ତ୍ର ପ୍ୟକେଜ ଦାବୀ କରିବା ସହ ଆକାଶ ମାର୍ଗରେ ଅନୁଧ୍ୟାନ କରାଯାଇ ବନ୍ୟା ଜଳ ନିଷ୍କାଷନ ବ୍ୟବସ୍ଥା କରାଯିବା ପାଇଁ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସରକାର ତଥା ପ୍ରଶାସନକୁ ବାରମ୍ବାର ଚେତାଇ ଦେବା ସତ୍ୱେ ସହରରେ ବନ୍ୟା ପରିସ୍ଥିତିର ପୁନାରାବୃତ୍ତି ହେବା ଦୁର୍ଭାଗ୍ୟଜନକ । ଯଦିଓ ସ୍ଥିତି ପୂର୍ବ ବର୍ଷ ଭଳି ନାହିଁ ତଥାପି ଏହି ଅଭାବନିୟ ପରିସ୍ଥିତି ପାଇଁ ସରକାରୀ ଉଦାସିନତା ସହିତ ପ୍ରଶାସନିକ ଅପାରଗତା ଦାୟୀ ବୋଲି ବିଧାୟକ ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ ସମ୍ବାଦିକଙ୍କୁ କହିଛନ୍ତି । ଆଜି ସକାଳୁ ସହରର ବିଭିନ୍ନ ତଳି ଅଂଚଳ ପାଣି ଘେରରେ ଥିବା ଖବର ଆସିଥିଲା । ବିଧାୟକ ଶ୍ରୀ ମିଶ୍ର ଖବର ପାଇ ସହକାରୀ ଜିଲ୍ଲାପାଳ ଅନନ୍ତ ନାରୟଣ ଲାଗୁରୀଙ୍କୁ ନେଇ ବନ୍ୟା ବିତ୍ପାତ ଅଂଚଳ ପରିଦର୍ଶନରେ ବାହାରି ଥିଲେ । ପ୍ରଥମେ ସହରର ଗୋକୁଳଧାମ ସୋସାଇଟି ଅଂଚଳରେ ପହଞ୍ଚିଥିଲେ । ସେଠାରେ ସ୍ଥାନୀୟ ବାସିନ୍ଦାମାନେ ବାରମ୍ବାର ଜଳବନ୍ଦିର ସାମନା କରୁଥିବା ବିଧାୟକଙ୍କୁ ଅଭିଯୋଗ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ସ୍ଥାୟୀ ସମାଧାନ କରିବାକୁ ସହକାରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ସତ୍ୟନାରାୟଣପଡା, ମାଲପଡା, ମହାଲକ୍ଷ୍ମୀ ନଗର, ଶାନ୍ତିପଡା ଓ ତୁଳସୀନଗରର ତଳି ଅଂଚଳ ଗୁଡିକ ପରଦର୍ଶନ କରିଥିଲେ । ତୁଳସୀ ନଗର ତଳି ଅଂଚଳରେ କିଛି ପରିବାର ଜଳବନ୍ଦି ଅବସ୍ଥାରେ ଥିବା ଶ୍ରୀ ମିଶ୍ରର ପରିଲକ୍ଷିତ କରିଥିଲେ । ତୁରନ୍ତ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କୁ ଘଟଣା ସ୍ଥଳକୁ ଡକାଇ ତୁରନ୍ତ ବନ୍ୟାଜଳ ନିଷ୍କାଷନ ସହିତ ଗରିବ ପରିବାରଙ୍କୁ ରିଲିଫ୍‌ ସାମାଗ୍ରୀ ପ୍ରଦାନ ପାଇଁ ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆହୁରି ଗରିବ ବନ୍ୟା ପିଡିତ ପରିବାରଙ୍କୁ ଆବଶ୍ୟକ ସ୍ଥଳେ ଅସ୍ଥାୟୀ ଶିବିରକୁ ନେବା ସହ ପରବର୍ତ୍ତି ସମୟରେ ସେମାନଙ୍କୁ ସରକାରୀ ଜମି ପ୍ରଦାନ କରିବାକୁ ବିଧାୟକ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପ୍ରଶାସନ ତରଫରୁ ଉକ୍ତ ଅଂଚଳରେ ବନ୍ୟା ପିଡିତଙ୍କ ପାଇଁ ତୁରନ୍ତ ଚୁଡା, ଗୁଡ, କଦଳୀ ବଣ୍ଟନ କରାଯିବା ରନ୍ଧା ଖାଦ୍ୟ ବ୍ୟବସ୍ଥା ପାଇଁ ପ୍ରସ୍ତୁତି କରାଯାଉଥିବା ସୂଚନା ରହିଛି ।

Leave A Reply

Your email address will not be published.