ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ବଣ୍ଟନ

ଭୁବନେଶ୍ୱର : ରକ୍ତହୀନତା ଓ ଅପପୁଷ୍ଟି ଦୂର କରିବା ଆଭିମୁଖ୍ୟ ରଖି ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ । ୧ରୁ ୧୯ ବର୍ଷ ବୟସ୍କ ପିଲାଙ୍କୁ ଏହି ଔଷଧ ବଣ୍ଟାଯିବ । ୧୨ରେ କୌଣସି କାରଣବଶତଃ ଏହି ଔଷଧ ଖାଇ ପାରୁ ନ ଥିବା ପିଲାଙ୍କୁ ୧୯ ତାରିଖରେ ଆଉଥରେ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ଅଗଷ୍ଟ ମାସର ପ୍ରତି ବୁଧବାର ଟୀକାକରଣ ଦିବସରେ ୯ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଭିଟାମିନ ‘କ’ ଦ୍ରବଣ ଖାଇବାକୁ ମାଗଣା‌ରେ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ନିର୍ଦେଶକ ଡା. ଶ୍ରୀ ପାଣିଗ୍ରାହୀ କହିଥିଲେ, ରାଜ୍ୟର ୧,୬୮,୩୧,୬୭୯ ହିତାଧିକାରୀଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯିବ । ସରକାରୀ ଓ ବେସରକାରୀ ୫୫,୫୦୯ ବିଦ୍ୟାଳୟ ଓ ୭୪,୧୪୬ ଅଙ୍ଗନୱାଡିରେ ପଢୁଥିବା ସମସ୍ତ ପିଲାଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ । ଏହି ବୟସ ମଧ୍ୟରେ ବିଦ୍ୟାଳୟକୁ ଯାଉ ନ ଥିବା ପିଲାଙ୍କୁ ସେମାନଙ୍କ ଅଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ରରେ ଅଙ୍ଗନୱାଡି ଓ ଆଶାକର୍ମୀ ଔଷଧ ଦେବେ । ୩୫,୧୯,୫୫୪ ହିତାଧିକାରୀଙ୍କୁ ଭିଟାମିନ ‘କ’ ଦ୍ରବଣ ବଣ୍ଟନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଔଷଧ ଖାଇବାକୁ ଦିଆଯିବାକୁ ଥିବାବେଳେ ଶିକ୍ଷକ ୬୯,୨୮୭, ଏଏନଏମ ୭୮୭୯, ଅଙ୍ଗନୱାଡି କର୍ମୀ ୭୨,୮୯୩ ଏବଂ ୪୮ ହଜାର ଆଶାକର୍ମୀ ଔଷଧ ବଣ୍ଟନ କାର୍ଯ୍ୟକ୍ରମରେ ନିୟୋଜିତ ହେବେ । ସମ୍ମିଳନୀରେ ପୁଷ୍ଟିହୀନତା ଯୁଗ୍ମ ନିର୍ଦ୍ଦେଶକ ସ୍ମୃତିଜିତ୍‌ ପଟ୍ଟନାୟକ, ପୁଷ୍ଟିହୀନତା ବୈଜ୍ଞାନିକ ୟୁନିସେଫ ସୌରଭ ଭଟ୍ଟାଚାର୍ଯ୍ୟ, ୟୁନିସେଫ ପୁଷ୍ଟିହୀନତା ଅଧିକାରୀ ସଞ୍ଜୟ ସାହୁ ଏବଂ ପୁଷ୍ଟିହୀନତା ପରାମର୍ଶଦାତା ସନ୍ଧ୍ୟାରାଣୀ ରାଉତ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!