ବରିଷ୍ଠ ନାଗରିକ ମଞ୍ଚର ଗରିବ ସଭ୍ୟମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚର ଭାତକୁମରଡା ନିକଟସ୍ଥ ବାଇଧର ମନ୍ଦିର ପରିସରରେ ବାର୍ଷିକ ବଣ ଭୋଜି ଆୟୋଜନ ପରିପ୍ରେକ୍ଷୀରେ ବ୍ରହ୍ମପୁରର ଅବସରପ୍ରାପ୍ତ ସୈନ୍ୟ ବାହିନୀର ବ୍ରିଗେଡ଼ିଏର ଡାକ୍ତର ଅରୁଣ କୁମାର ପାଢ଼ୀଙ୍କର ବଦାନ୍ୟତାରେ ଗରିବ ବରିଷ୍ଠ ନାଗରିକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ମଞ୍ଚର ସଂଯୋଜକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ବରିଷ୍ଠମାନେ ସ୍ଵଚ୍ଛ ହୃଦୟ ସହିତ ଭାଇ ଚାରା ସୃଷ୍ଟି କରି ପରବର୍ତ୍ତୀ ପିଢ଼ିଙ୍କୁ ସଠିକ ମାର୍ଗ ଦର୍ଶନ ପାଇଁ ପରାମର୍ଶ ଦେଇଥିଲେ । ଉପଦେଷ୍ଟା କୋରା ମହାରଣା ବରିଷ୍ଠମାନେ ମାନବିକ ଗୁଣରେ ନିଜ ନିଜର ସନ୍ତାନ ମାନଙ୍କ ଚରିତ୍ର ଗଠନ ପାଇଁ ପରାମର୍ଶ ଦେଇଥିଲେ । ଟାଙ୍ଗଣାପଲ୍ଲୀ ସରପଞ୍ଚ ବି. ସୁଦାମ, ଭାତକୁମରଡା ସମିତି ସଭ୍ୟ କୋରନାଥ ସ୍ୱାଇଁ, ଅବସରପ୍ରାପ୍ତ ଡେପୁଟି କଲେକ୍ଟର ପ୍ରଦୀପ କୁମାର ମହାରଣା, ସମାଜସେବୀ ପ୍ରସନ୍ନ ସାହୁ ଯୋଗଦେଇ ମଞ୍ଚର ସଭ୍ୟ ମାନଙ୍କର ଏହି କାର୍ଯ୍ୟକ୍ରମ ଦ୍ୱାରା ପରସ୍ପର ମଧ୍ୟରେ ଉତ୍ସାହ ସୃଷ୍ଟି ହୁଏ ବୋଲି ମତଦେଇ ମଞ୍ଚର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମଞ୍ଚ ତରଫରୁ ଡାକ୍ତର ଅରୁଣ କୁମାର ପାଢ଼ୀଙ୍କର ବଦାନ୍ୟତା ପାଇଁ କୃତଜ୍ଞତା ପ୍ରକାଶ କରାଯାଇଥିଲା ।

Leave A Reply

Your email address will not be published.