jayashree

ଛତ୍ରପୁର ଓ ହିଞ୍ଜିଳିକାଟୁରେ ଅନୁଷ୍ଠିତ ବ୍ୟାଙ୍କ ସମନ୍ୱୟ ମେଳାରେ ଜିଲ୍ଲାପାଳଙ୍କ ହସ୍ତରେ ଚେକ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ମିଶନ ଶକ୍ତି ସୌଜନ୍ୟରେ ଏକ ମେଗା ବ୍ୟାଙ୍କ ସମନ୍ୱୟ ମେଳା ମଙ୍ଗଳବାର ସଂଗଠିତ ହୋଇଯାଇଛି । ବିଭିନ୍ନ ମହିଳା ଏସ୍‌ଏଚ୍‌ଜି ଗୃପମାନେ ଏହି କାର୍ଯ୍ୟକ୍ରମରେ ସମବେତ ହୋଇଥିଲେ । ଏହି ବ୍ୟାଙ୍କ ସମନ୍ୱୟ ମେଳାରେ ଛତ୍ରପୁର ଶାଖା ପକ୍ଷରୁ ପ୍ରାୟ ୧୮ଟି ବ୍ୟାଙ୍କ ତରଫରୁ ଋଣ ସହାୟତା ପ୍ରଦାନ କରାଯାଇଛି । ବିଭିନ୍ନ ମହିଳା ସଂଗଠନଙ୍କୁ ସର୍ବମୋଟ ୨୦ କୋଟି ୧୩ ଲକ୍ଷ ୧୫ ହଜାର ଟଙ୍କାର ଋଣ ସହାୟତା ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ହସ୍ତରେ ଆନୁଷ୍ଠାନିକ ଭାବେ ଏହି ଚେକ୍‌ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଭି.କୀର୍ତ୍ତି ଭାସନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାରଦା ପ୍ରସନ୍ନ ପଣ୍ଡା, ସିଡିପିଓ ପ୍ରଣମିତା ପଣ୍ଡା, ମିଶନ ଶକ୍ତି ଜିଲ୍ଲା ସଂଯୋଜକ ସାଶ୍ୱତ ସାହୁ, ବ୍ଲକ୍ ସଂଯୋଜକ ମାନୀନି ଜେନା ପ୍ରମୁଖ ବହୁ ଅଧିକାରୀ ଯୋଗଦେଇ ମହିଳାଏସ୍‌ଏଚ୍‌ଜି ଗୃପମାନଙ୍କୁ ଉତ୍ସାହିତ କରିଥିଲେ । ବହୁ ମହିଳା ଏସ୍‌ଏଚ୍‌ଜି ଗୃପ ପକ୍ଷରୁ ବିଭିନ୍ନ ଚିତାକର୍ଷକ ପ୍ରଦର୍ଶନୀ, ଘର କରଣା, ସାଜସଜ୍ଜା ପାଇଁ ସୁନ୍ଦର ସୁନ୍ଦର ସାମଗ୍ରୀ ଆଦିର ପସରା ଖୋଲାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଗସ୍ତରେ ଯାଇ ଜିଲ୍ଲାପାଳ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ତଦାରଖ କରିଥିଲେ । ସେଠାରେ ଗଞ୍ଜାମ ହାଟ ଓ କ୍ଷୀର ବିକ୍ରୟ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ । ହିଞ୍ଜିଳିକାଟୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ମହିଳା ଏସ୍‌ଏଚ୍‌ଜି ଗୃପର ପାରଦର୍ଶିତା ଓ ମିଶନ ଶକ୍ତିର କାର୍ଯ୍ୟକାରିତା ଉପରେ ନିରୀକ୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଓ ରାଜ୍ୟ ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ସୁଫଳ ଏବଂ ଯୋଜନାର ଫଳପ୍ରଦ କିପରି ହେଉଛି, ତାହା ଲୋକଙ୍କ ପାଖରେ ପହଞ୍ଚିବା ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗୁରୁତ୍ତ୍ୱାରୋପ କରିଥିଲେ । ମହିଳାମାନଙ୍କୁ କିପରି ସ୍ୱାବଲମ୍ବନଶୀଳ ଓ ବ୍ୟାପକ କରାଯିବ ସେନେଇ ଆଲୋକପାତ କରିଥିଲେ ।

Leave A Reply

Your email address will not be published.