- ୪ବର୍ଷ ହେଲା ଖୁଣ୍ଟ ଲାଗିଛି, ହୋଇନି ବିଦ୍ୟୁତ ସଂଯୋଗ
- ଅନ୍ଧାରରେ ବଙ୍ଗଳା ଛକ
ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥକୁ ଆଲୋକିକରଣ ଓ ସୁନ୍ଦର କରିବା ପାଇଁ ସରକାର ଯୋଜନା କରିଛନ୍ତି । ୨୬ନଂ ଜାତୀୟ ରାଜପଥର ଦେଓଗାଁ ଡ଼ାକ ବଙ୍ଗଳା ଛକର ରାସ୍ତା କଡ଼ରେ ୧୬ଟି ବିଦ୍ୟୁଟ ଷ୍ଟ୍ରିଟ ଲାଇଟର ଖୁମ୍ବ ପୋତାଯାଇଛି । ଖୁମ୍ବରେ ଲାଗିଛି ଲାଇଟ୍ । ଖୁମ୍ବ ପୋତାଯିବାର ପ୍ରାୟ ୪ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନାହିଁ । ଏହାକୁ ନେଇ ବଙ୍ଗଳା ଛକର ଦୋକାନୀମାନଙ୍କ ସହ ଏହି ମାର୍କେଟ ଉପରେ ଅଞ୍ଚଳର ପ୍ରାୟ ୧୦ରୁ ଉର୍ଦ୍ଦ ଗାଁର ଲୋକେ ନିର୍ଭର କରୁଛନ୍ତି । ଏହି ଛକରେ ୧୬ଟି ବିଦ୍ୟୁତ୍ ଷ୍ଟ୍ରିଟ ଲାଇଟ୍ ଲାଗିଥିବା ସତ୍ତ୍ବେ ସଂଧ୍ୟା ସମୟରେ ଏହି ଛକ ଏବେ ନିଛାଟିଆ ଲାଗୁଥିବାରୁ ଏହି ଲାଇଟ କୁ ନେଇ ଏବେ ଅଞ୍ଚଳରେ ଜୋରସୋର୍ ଚର୍ଚ୍ଚା ହେବାରେ ଲାଗିଛି । ଦୀର୍ଘ ୪ ବର୍ଷ ପୂର୍ବରୁ ଏହି ବିଦ୍ୟୁତ୍ ଖୁଣ୍ଡ ପୋତି ଲାଇଟ୍ ଲଗାଇ ଛାଡ଼ି ଦିଆଯାଇଛି । ତେଣୁ କେଉଁ ବ୍ୟକ୍ତି ତଥା କେଉଁ ଅନୁଦାନରୁ ଏତେ ପରିମାଣରେ ଖର୍ଚ୍ଚ କରାଯାଇଛି ତାହାକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ଅଜ୍ଞାତ ରହିଛନ୍ତି । କିଏ କହୁଛି ଏହା ରାଜପଥ ବିଭାଗ ପକ୍ଷରୁ ଲଗାଯାଇଛି ତ ପୁଣି କିଏ କହୁଛି ପଞ୍ଚାୟତ ପ୍ରଶାସନ ପକ୍ଷରୁ । ଆଉ କିଏ କହୁଛି ବିଦ୍ୟୁତ ବିଭାଗ କରିଛି । ହେଲେ ଏହି ବିଦ୍ୟୁତ୍ ଖୁଣ୍ଟ କାହାର ତାହା ଅଞ୍ଚଳବାସୀ ତଥା ଦୋକାନୀ ମାନେ ଏପର୍ଯ୍ୟନ୍ତ କିଛି ଜାଣି ପାରିନାହାନ୍ତି । ଦୋକାନ ସାମ୍ନାରେ ୪ ବର୍ଷରୁ ଉର୍ଦ୍ଧ୍ବ ହେଲା ଖୁଣ୍ଟ ଲାଗିଥିବା କେବଳ ବିଦ୍ୟୁତ୍ ଖୁଣ୍ଟକୁ ଦେଖି ମନ ବୁଝାଉଥିବା ନେଇ ଚର୍ଚ୍ଚା ହେଉଛି । ବିଦ୍ୟୁତ୍ ସଂଯୋଗ କରାନ ଯାଇଥିବାରୁ ବିଦ୍ୟୁତରୁ ଅନ୍ଧାରରେ ବଙ୍ଗଳା ଛକ ଓ ଯୋଜନାରୁ ଅନ୍ଧାରରେ ଦୋକାନୀ ବୋଲି ଆଲୋଚନା ହେଉଛି । ଯଦି ଏହା କୌଣସି ସରକାରୀ ଅନୁଦାନରୁ ଆସିଛି, ତାହେଲେ ୪ ବର୍ଷ ହେଲା ବିଦ୍ୟୁତ୍ ସଂଯୋଗ କରାଯିବାର କାରଣ କଣ ବୋଲି ଦୋକାନୀମାନେ ପ୍ରଶ୍ନ କରୁଛନ୍ତି । ଯଦି ଏହା କୌଣସି ସରକାରୀ ଅନୁଦାନରୁ ଆସିନାହିଁ ତାହେଲେ ଏତେ ଗୁଡ଼ିଏ ଅର୍ଥ କେଉଁ ବ୍ୟକ୍ତି କାହିଁକି ଖର୍ଚ୍ଚ କରିଛି ତାହା ତଦନ୍ତ ସାପେକ୍ଷ । ଅପରପକ୍ଷେ କୌଣସି ସଂସ୍ଥା ହୀନଚକ୍ରାନ୍ତ କରି ବିଦ୍ୟୁତ ସଂଯୋଗ ନାମରେ ଉପର ମହଳଠାରୁ ଟଙ୍କା ହଡ଼ପ କରିନାହିଁ ତ ବୋଲି ବୁଦ୍ଧିଜିବୀ ମହଳରେ ସନ୍ଦେହ ଆରମ୍ଭ ହୋଇଛି । ତେଣୁ ଏବିଷୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବା ସହ ଏହି ଲାଇଟ ଖୁଣ୍ଟକୁ ବିଦ୍ୟୁତ ବିଭାଗକୁ ହସ୍ତାନ୍ତର କରି ବିଦ୍ୟୁତ ସଂଯୋଗ କରିବାକୁ ସାଧାରଣରେ ଦାବୀ ହେଉଛି ।