ପୁରୁଷ ବନ୍ଧ୍ୟାକରଣ ପକ୍ଷରେ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ଆଗାମୀ ଆଠ ଦିନ ଯାଏଁ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ବୁଲି ଲୋକଙ୍କୁ ପୁରୁଷ ବନ୍ଧ୍ୟାକରଣ ଉପରେ ସଚେତନ କରାଇବ । ଏଠାରେ ସୂଚନା ଯୋଗ୍ୟ ଯେ, ନଭେମ୍ଵର ୨୧ ତାରିଖରୁ ୨୭ ତାରିଖ ଯାଏଁ ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ ନଭେମ୍ଵର ୨୮ ତାରିଖରୁ ଡିସେମ୍ଵର ୪ ତାରିଖ ଯାଏଁ ସେବା ପ୍ରଦାନ ସପ୍ତାହ ପାଳନ କରାଯାଉଛି । ସଚେତନତା ସପ୍ତାହରେ ବ୍ଲକସ୍ତରୀୟ ସ୍ଵାସ୍ଥ୍ୟ କର୍ମୀମାନଙ୍କୁ ପ୍ରଶିକ୍ଷଣ, ସେକ୍ଟରସ୍ତରରେ ଆଶାମାନଙ୍କୁ ପ୍ରଶିକ୍ଷଣ, ବେନର୍, ପୋଷ୍ଟର ପ୍ରଦର୍ଶନ, ଲିଫଲେଟ୍ ବଣ୍ଟନ, ସ୍ଵାସ୍ଥ୍ୟକାନ୍ଥରେ ବାର୍ତ୍ତା ଲିଖନ, ଘରକୁ ଘର ବୁଲି ବ୍ୟକ୍ତିଗତ ଯୋଗାଯୋଗ ଆଦି ବ୍ୟାପକ ସଚେତନାମୂଳକ ପଦକ୍ଷେପ ନିଆଯିବାର ଯୋଜନା ରହିଛି । ସେବା ପ୍ରଦାନ ସପ୍ତାହରେ ଉପଯୁକ୍ତ ହିତାଧିକାରୀଙ୍କୁ ପୁରୁଷ ପରିବାର ନିୟୋଜନ ସେବା ପ୍ରଦାନ କରିବାର ଯୋଜନା କରାଯାଇଛି । ଏହି ଅବସରରେ ସଚେତନତା ରଥ ଲୋକଙ୍କୁ ପରିବାର ନିୟୋଜନ ସମ୍ଵନ୍ଧୀୟ ସୂଚନା ଦେବାରେ ବିଶେଷ ସହାୟକ ହେବ ବୋଲି ବିଚାର କରାଯାଉଛି । କାର୍ଯ୍ୟକ୍ରମଟିକୁ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ବ୍ଲକ ଆକାଉଣ୍ଟ ମେନେଜର ସୁଜିତ କୁମାର ସାହୁ, ସ୍ଵାସ୍ଥ୍ୟକର୍ମୀ ଅମିତ ପ୍ରଧାନ, ଦେବାଶିଷ ନାୟକ ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.