ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଶିକ୍ଷା ଅଧୀନସ୍ଥ ପିଏମଶ୍ରୀ ଗଙ୍ଗାପୁର ହାଇସ୍କୁଲ ମାଟ୍ରିକ ବ୍ୟାଚ୍ -୨୦୧୦ ପକ୍ଷରୁ ଏକ ବନ୍ଧୁମିଳନ ଆସର ସମାରୋହ ରବିବାର ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ତତ୍କାଳୀନ ୨୦୧୦ ମସିହାରେ ମାଟ୍ରିକ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିବା ସମୟର ଛାତ୍ରଛାତ୍ରୀମାନେ ଦୀର୍ଘ ୧୫ ବର୍ଷ ପରେ ସ୍ମୃତିକୁ ଲେଉଟାଇଛନ୍ତି । ତତ୍କାଳୀନ ସମୟରେ ଅବସ୍ଥାପିତ ଥିବା ଗୁରୁମା, ଗୁରୁଜୀଙ୍କୁ ପାଛୋଟି ଆଣି ମଞ୍ଚ ଉପରେ ସ୍ଥାନ ଦେଇ ପାରମ୍ପରୀକ ଗୁରୁପୂଜନ ସହ ସମ୍ବର୍ଦ୍ଧିତ କରାଇଛନ୍ତି । ପୂର୍ବତନ ପ୍ରଧାନଶିକ୍ଷକ ଅଜିତ୍ କୁମାର ପାଢ଼ୀ, ହିନ୍ଦୀ ଶିକ୍ଷକ ପଞ୍ଚାନନ ଦାଶ, ଶିକ୍ଷକ ଲକ୍ଷ୍ମୀ ନାରାୟଣ ପାତ୍ର, କୃଷ୍ଣ ଚନ୍ଦ୍ର ଦାଶ, ସତ୍ୟନାରାୟଣ ପାଣିଗ୍ରାହୀ, ରବୀନ୍ଦ୍ର କୁମାର ସେଠୀ, ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁକା ଦାଶ, ଶ୍ରୀମତୀ ରଶ୍ମିତା ନାୟକ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା । ପୂର୍ବତନ ଛାତ୍ରୀ ତଥା ଖଲ୍ଲିକୋଟ ବ୍ଲକ୍ ବାଗଲପୁର ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ମମତା କୁମାରୀ ମହାପାତ୍ର ସଭାରେ ସଂଯୋଜନା କରିଥିଲେ । ସ୍କୁଲର ଅବସରପ୍ରାପ୍ତ ପିଅନ ଆର୍. ସତ୍ୟନାରାୟଣ ରେଡ୍ଡୀ, ଭାସ୍କର ସେଠୀ, ଶିବ ଶଙ୍କର ବେହେରାଙ୍କୁ ଉପହାର ପ୍ରଦାନ ସହ ମଞ୍ଚରେ ସମ୍ମାନୀତ କରାଯାଇଥିଲା । ଗଙ୍ଗାପୁର ହାଇସ୍କୁଲର ପୂର୍ବତନ ଏସ.ଏମ.ସି. ସଭାପତି ମହେଶ୍ୱର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ଏଭଳି କାର୍ଯ୍ୟରେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ସାଧୁବାଦ ଜଣାଇଥିଲେ । ମଞ୍ଚ ଉପରେ ଜଣଙ୍କ ପରେ ଜଣେ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଅଭିଭାଷଣ ପ୍ରଦାନ କରିବା ସାଂଗକୁ ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ ଅତୁଟ ବନ୍ଧନ ଏବଂ ମିଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏତାଦୃଶ୍ୟ ଅୟୋଜନ କରିଥିବା ଗଙ୍ଗାପୁର ହାଇସ୍କୁଲର ସ୍ମୃତିକୁ ଆଦରି ଥିବା ପୂର୍ବତନ ଛାତ୍ରଛାତ୍ରୀଙ୍କ ଭୂୟସୀ ପ୍ରଶଂସା କରି ଗୁରୁଜନମାନେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ କରିଛନ୍ତି । ପୂର୍ବତନ ଛାତ୍ରଛାତ୍ରୀମାନେ ମଧ୍ୟ ଗୁରୁମାନଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମାନପତ୍ର ସହ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୂର୍ବତନ ଛାତ୍ର ସର୍ଵଶ୍ରୀ ବିକ୍ରମ କୁମାର୍ ନାହକ, ଅନୀଲ କୁମାର ସ୍ୱାଇଁ, ନିରାକାର ପ୍ରଧାନ, ବସନ୍ତ ସାସମଲ, ଦୁର୍ଗା ମାଧବ ପ୍ରଧାନ, ତପନ ନାହାକ, ରାକେଶ ପ୍ରଧାନ, ସାଇରାଜ ବେହେରା, ସୁନୀଲ ମୁଦୁଲି ଓ ଛାତ୍ରୀ ଗୀତାଞ୍ଜଳି ବେହେରାଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ସହ ସମାହିତ କରାଯାଇଥିଲା ।