ବଲାଙ୍ଗିର, (କେପିଏନ୍ଏସ୍) : ପି.ପି. ଏକାଡେମୀ ୧୯୮୫ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବଲାଙ୍ଗିର ନିକଟସ୍ଥ ଗେଡାବାଞ୍ଜି ବଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପି.ପି.ଏକାଡେମୀରେ ସେ ସମୟର ଥିବା ତିନୋଟି ସେକ୍ସନର ପ୍ରାୟ ୫୦ ଜଣ ଛାତ୍ର ଯୋଗ ଦେଇଥିଲେ । ଏହା ଏକ ଐତିହାସିକ ବନ୍ଧୁମିଳନ ବୋଲି ଛାତ୍ର ସମୂହ ପକ୍ଷରୁ କୁହାଯାଇଛି । କାରଣ ଦୀର୍ଘ ଦିନ ପରେ କିଛି ବର୍ଷ ଧରି ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଥିବା ସତ୍ୱେ ଉକ୍ତ ବ୍ୟାଚର ପ୍ରାୟ ଅଧିକାଂଶ ଛାତ୍ର ଏଥିରେ ଭାଗ ନେଇଆସୁଛନ୍ତି । କିଛି ଛାତ୍ର ବହୁ ଦୂରଦୂରାନ୍ତରେ ଚାକିରୀ, ବ୍ୟବସାୟ ଆଦି କରୁଥିବା ସତ୍ୱେ ସେମାନେ ମଧ୍ୟ ଗୋଟିଏ ଦିନ ପାଇଁ ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦୀର୍ଘ ଦୁଇ ଦଶନ୍ଧି ପରେ ସମସ୍ତେ ସମସ୍ତଙ୍କୁ ଭେଟିବାର ପ୍ରବଳ ଉତ୍ସାହ ଓ ଉତ୍କଣ୍ଠା ଯୋଗୁଁ ହିଁ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମଟି ପ୍ରତିଥର ଶତ ପ୍ରତିଶତ ସଫଳ ହୋଇପାରୁଛି ବୋଲି ଅନେକ ଛାତ୍ର ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଦୀପ ଜାଳି ସ୍ୱର୍ଗଆରୋହଣ କରିଥିବା ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା ଓ ପରବର୍ତ୍ତୀ ସମୟରେ ଛାତ୍ରମାନେ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ । ବହୁ ବର୍ଷ ପରେ ଛାତ୍ରମାନେ ନିଜ ନିଜ ସ୍କୁଲ ବେଳର ସାଙ୍ଗସାଥୀଙ୍କୁ ଭେଟି ଖୁସିରେ ଆତ୍ମହରା ହୋଇପଡ଼ିଥିଲେ । ପୁରାତନ ଛାତ୍ରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଖୁସିର ମାହୋଲ ଦେଖାଯାଇଥିଲା । ଏହି ବନ୍ଧୁମିଳନ ଅବସରରେ ଗୀତ, ନାଚ ଆଦି ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଛାତ୍ରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।