- “ତିନି ଦଶକ ପରେ ମଧ୍ୟ ସେଇ ମଜା, ସେଇ ବନ୍ଧୁତ୍ୱ”
ବଲାଙ୍ଗିର, (କେପିଏନ୍ଏସ୍) : ଦୀର୍ଘ ତିନି ଦଶକ ପରେ ପିପି ଏକାଡେମୀର ୧୯୯୩ ମ୍ୟାଟ୍ରିକ ବ୍ୟାଚ୍ର ଛାତ୍ରମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲା ସହିତ ଦେଶର ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ପୁରାତନ ଛାତ୍ରମାନେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କର ପୁରୁଣା ଦିନର ସ୍ମୃତିକୁ ପୁନର୍ଜୀବନ ଦେଇଥିଲେ । ଦୀପ ପ୍ରଜ୍ୱଳନ ଓ ସରସ୍ୱତୀ ବନ୍ଦନା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆୟୋଜନ କମିଟିର ସଦସ୍ୟମାନେ ଉପସ୍ଥିତ ସମସ୍ତ ବନ୍ଧୁ ମାନଙ୍କୁ ସ୍ୱାଗତ କରି ଏହି ବନ୍ଧୁମିଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହାପରେ ୧୯୯୩ ମ୍ୟାଟ୍ରିକ ବ୍ୟାଚ୍ର ସମସ୍ତ ଦିବଂଗତ ବନ୍ଧୁମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେବାସହ ସେମାନଙ୍କ ସହ ବିତେଇଥିବା ମୁହୂର୍ତ୍ତ, ନିର୍ମଳ ବନ୍ଧୁତ୍ୱ ଓ ଅଭୁଲା ସ୍ମୃତିକୁ ମନେପକାଇ ତାଙ୍କର ଆତ୍ମାକୁ ଶାନ୍ତି ଓ ସଦଗତି ପ୍ରଦାନ କରିବା ସହ ଶୋକାକୁଳ ପରିବାର ବର୍ଗକୁ ଏହି ଅପାର ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ବନ୍ଧୁ ମିଳନର ମୁଖ୍ୟ ଆକର୍ଷଣ ଥିଲା ସ୍ମୃତିଚାରଣ ପର୍ବ । ଏହି ଅବସରରେ ଅନେକ ପୁରାତନ ଛାତ୍ର ମଞ୍ଚକୁ ଆସି ତାଙ୍କର ଶିକ୍ଷା ଜୀବନର ମଜାଦାର ଘଟଣା, ପୁରୁଣା କ୍ଲାସ ରୁମ, ପ୍ରାର୍ଥନା ସଭା, ଶିକ୍ଷକ ମାନଙ୍କ କଠୋରତା ଭିତରେ ଲୁଚିଥିବା ସ୍ନେହର କଥା, ବନ୍ଧୁତ୍ୱ ର ଗଭୀରତା ଓ ସେ ଦିନର ଅଭୁଲା ସ୍ମୃତିକୁ ସମସ୍ତଙ୍କ ସହ ଭାବ ବିନିମୟ କରିଥିଲେ । ଏହି ଅନୁଭବ ଗୁଡିକ ସମଗ୍ର ପରିବେଶକୁ ଭାବପ୍ଲୁତ କରିଦେଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରାତନ ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଓ ହିନ୍ଦୀ ଭଜନ, ଗୀତ ଓ କବିତା ପାଠ ପରିବେଷଣ ହୋଇଥିଲା । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କେବଳ ସ୍ମୃତିଚାରଣରେ ସୀମିତ ରହିନଥିଲା, ସମାଜ ପ୍ରତି ଦାୟିତ୍ୱବୋଧ ମଧ୍ୟ ଏହାର ଏକ ମୁଖ୍ୟ ଅଂଶ ଥିଲା । ଏହି ଅବସରରେ ପିପି ଏକାଡେମୀର ଉନ୍ନତି ପାଇଁ କିଛି ଶିକ୍ଷାମୂଳକ ସହଯୋଗ ଦେବା ସହ ଆଗାମୀ ଦିନରେ ଗରିବ ଓ ମେଧାବୀ ଛାତ୍ର ମାନଙ୍କୁ ସହାୟତା ପ୍ରଦାନ କରିବା ନିମିତ୍ତ ଏକ ସାମୂହିକ ସଂକଳ୍ପ ଗ୍ରହଣ କରାଯାଇଥିଲା । ଦୀର୍ଘ ସମୟର ବ୍ୟବଧାନ ପରେ ମିଳିଥିବା ଏହି ବନ୍ଧୁ ମିଳନରେ ପ୍ରତ୍ୟେକ ମୁହଁରେ ଅପାର ଆନନ୍ଦ ଓ ଆତ୍ମୀୟତା ଭାବ ଦେଖାଯାଉଥିଲା । କେତେଜଣ ବନ୍ଧୁ ଡାକ୍ତର, ଇଞ୍ଜିନିୟର, ଶିକ୍ଷକ ତ କେତେଜଣ ବନ୍ଧୁ ସଫଳ ବ୍ୟବସାୟୀ ହୋଇଥିଲେ ମଧ୍ୟ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମସ୍ତେ ପୁନର୍ବାର ୧୯୯୩ ମସିହାର ସେଇ ନିର୍ମଳ ଛାତ୍ର ଜୀବନକୁ ଫେରିଯାଇଥିଲେ । ପିପି ଏକାଡେମୀ କେବଳ ପାଠ ନୁହେଁ, ଜୀବନର ମୂଲ୍ୟବୋଧ, ଶୃଙ୍ଖଳା, ଦେଶପ୍ରେମ ଓ ମାନବିକତାର ଶିକ୍ଷା ଦେବା ସହ ଆଜି ଜୀବନର ବିଭିନ୍ନ କ୍ଷେତ୍ରରେ ସଫଳ କରିଥିବା ଯୋଗୁଁ ସମସ୍ତ ପୁରାତନ ଛାତ୍ର ପିପି ଏକାଡେମୀ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ।