ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ଜାମଗାଁ ହାଇସ୍କୁଲର ୧୯୯୪ ମ୍ୟାଟ୍ରିକ ବ୍ୟାଚ୍ର ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ଓ ଗୁରୁପୂଜା ସାଲେଭଟା ନିକଟ ଗାଈଖାଇ ଠାରେ ହୋଇଯାଇଛି । ଏହି ଦିନ ବଣପାହାଡ ଘେରା ପ୍ରାକୃତିକ ପରିବେଶ ମଣ୍ଡିତ ରମଣୀୟ ସ୍ଥାନରେ ଛାତ୍ରଛାତ୍ରୀ ତତ୍କାଳୀନ ଶିକ୍ଷକମାନଙ୍କୁ ଫୁଲ, ଚନ୍ଦନ, ଉପଢୌକନ ଦେଇ ପୂଜା କରି ଆଶୀର୍ବାଦ ନେବା ସହିତ ନିଜ ନିଜ ଅନୁଭୁତି ବ୍ୟକ୍ତ କରିଥିଲେ । ପ୍ରଧାନ ଶିକ୍ଷକ ସ୍ୱର୍ଗତ ଶ୍ରୀୟାକାନ୍ତ ପାଣିଗ୍ରାହୀଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା ପରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ବନ୍ଧୁମିଳନ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଏଭଳି ଏକ ଭବ୍ୟ ସମାରୋହରେ ସଂସ୍କୃତ ଶିକ୍ଷକ ରାଜ କିଶୋର ପଣ୍ଡା ମଙ୍ଗଳାଚରଣ ପଠନ କରି ସାରିବା ପରେ ସମବେତ ଛାତ୍ରଛାତ୍ରୀଙ୍କ ମନରେ ଗୁରୁଭକ୍ତି, ସଂସ୍କୃତି, ପରମ୍ପରା, ଗୃହକାର୍ଯ୍ୟରେ ଉପଦେୟ ବିଧିବିଧାନକୁ ଆଧାର କରି ଏକ ଘଣ୍ଟା ଧରି ପୁରାଣ ଜ୍ଞାନ କୁଇଜ କାର୍ଯ୍ୟକ୍ରମ କରିଥିଲେ । ଏଥିରେ ଲକ୍ଷ୍ମୀପୁରାଣ, ସର୍ବମଙ୍ଗଳା ସ୍ତୁତି, ଜହ୍ନି ଓଷା, ବାଳୁକା ପୂଜା, ରାମାୟଣ ଇତ୍ୟାଦିକୁ ଭିତ୍ତି କରି ଶତାଧିକ ପ୍ରଶ୍ନ ପଚାରି ସଠିକ୍ ଉତ୍ତରଦାତାଙ୍କୁ ପୁରସ୍କାର ଦେବା ସହ ଭବଗାନଙ୍କ କଥାମୃତ ଶ୍ରବଣରେ ଏକାଗ୍ରତା ସୃଷ୍ଟି କରିଥିଲେ । ଏହି ବନ୍ଧୁମିଳନର ସଫଳ ରୂପାୟନରେ ପରମେଶ୍ୱର, ରାଜକୁମାର, ଗୁପ୍ତେଶ୍ୱର, ବିଶ୍ୱକାନ୍ତ, ପ୍ରଭଞ୍ଜନ, ସଂଯୁକ୍ତା, ରୂପକାନ୍ତି, ପ୍ରତିମା, ଅତୁଲ୍ୟ, ଜାହ୍ନବି ନେତୃତ୍ୱ ନେବା ସହ ୫୦ ଜଣ ଛାତ୍ରଛାତ୍ରୀ ସପରିବାର ଯୋଗ ଦେଇ ପ୍ରାୟ ୨୦୦ଜଣଙ୍କ ମଧ୍ୟରେ ଭୋଜିଭାତର ଆସର ହୋଇଥିଲା ।