ଭୁବନେଶ୍ୱର, (ସୁଶାନ୍ତ ସାହୁ) : କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ରାଜ୍ୟରେ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ହେବ ବୋଲି ସାଧାରଣରେ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଆଜି ସ୍ପଷ୍ଟ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି ଯେ, “ଏବେ ବନ୍ଦ ହେବନି ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢ଼ା । ରାଜ୍ୟରେ କେବଳ କିଛି ବେସରକାରୀ ଶିକ୍ଷାନୁଷ୍ଠାନରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏସଓପି ପାଳନ କରାଯାଇ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠ ପଢ଼ାଯାଉଛି ।
ଏପର୍ୟ୍ୟନ୍ତ କୌଣସି ସଂକ୍ରମିତ ସରକାରୀ ଶିକ୍ଷାନୁଷ୍ଠାନରୁ ଚିହ୍ନଟ ହୋଇନାହିଁ ।” ସେ ଆଉ ମଧ୍ୟ କହିଛନ୍ତି, ସରକାରୀ ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ କୌଣସି ନିଷ୍ପତ୍ତି ହୋଇନାହିଁ । ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ ।