
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଧାନର କଟନୀ ଛଟନୀ ବନ୍ଦ, ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ପ୍ରଦାନ, ନୂତନ ଏନା ଲାଇଜର ମେସିନ ପ୍ରତ୍ୟାହାର ଦାବିରେ ଆଜି କଂଗ୍ରେସ ପକ୍ଷରୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ୧୨ ଘଣ୍ଟିଆ ବନ୍ଦ କରାଯାଇଛି । ଫଳରେ ଭବାନୀପାଟଣା ସହର ସମେତ କେସିଙ୍ଗା, ବୋର୍ଡା ଅଞ୍ଚଳରେ ବନ୍ଦ ପାଳନ ଯୋଗୁ ଦୋକାନ ବଜାର ବନ୍ଦ ଥିବାବେଳେ ଯାନ ବାହାନ ଚଳାଚଳ ପ୍ରଭାବିତ ହୋଇଛି । ବିଜେପି ସରକାର ଚାଷୀଙ୍କୁ ବିନା କଟନୀ ଛଟନୀରେ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରିବାପାଇଁ ଦେଇଥିବା ପ୍ରତିଶୃତିକୁ ଭୁଲି ଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ବର୍ତ୍ତମାନ ପ୍ରତିକୂଳ ପାଗ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବାବେଳେ କୁଇଣ୍ଟାଲ ପ୍ରତି ମଣ୍ଡି ମାନଙ୍କରେ ୫ରୁ ୭ କେଜି କଟନୀ କରାଯାଉଛି । ଏହାକୁ କଂଗ୍ରେସ ବିରୋଧ କରି ଏହି ବନ୍ଦ ଡାକରା ଦେଇଛି । ଭବାନୀପାଟଣା ସହରର କଲେଜ ଛକ ଠାରେ କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି । ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଛି ।