om academy

କଣ୍ଟାବାଞ୍ଜିକୁ ଜିଲ୍ଲା ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ

jsm

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ୱାନ କ୍ରମେ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜିର ଏହି ବନ୍ଦ ପାଳନରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଜରୁରୀକାଳୀନ ସେବାକୁ ବାଦ୍‌ ଦିଆଯାଇଥିବା ବେଳେ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି । କଣ୍ଟାବାଞ୍ଜି ସହରର ସ୍ଥାନୀୟ ଇନ୍ଦିରା ଛକ ନିକଟରେ ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ପରେ ଇନ୍ଦିରା ଛକରୁ ପଦଯାତ୍ରା କରି ସମସ୍ତେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଯାଇ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଣ୍ଟାବାଞ୍ଜିକୁ ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲା ଦାବୀ ନେଇ ଏକ ଦାବୀପତ୍ର ପ୍ରଦାନ କରିବେ ବୋଲି ସୂଚନା ରହିଛି । ଆଜିର ଏହି ବନ୍ଦରେ ସହରର ୩୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି । ଜିଲ୍ଲା ସଂଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲ, ଜିଲ୍ଲା ସଂଘର୍ଷ ସମିତିର କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ, କୋଷାଧ୍ୟକ୍ଷ ଅଜୟ ଅଗ୍ରୱାଲ, ସ୍ଥାନୀୟ ନଗରପାଳ ବରିୟାମ ସିଂ ସାଲୁଜା, ବିଦେଶୀ ବେହେରା, ପ୍ରଦୀପ ବାଗ, ଦୁଃଖୀଶ୍ୟାମ ଗୁରୁ, ରସିୟାନନ୍ଦ ରାୟ, ଅମରଚନ୍ଦ ଶର୍ମା, ବେଦବ୍ୟାସ ନାଗ, ନରେନ୍ଦ୍ର ସୁନା, ବିସର୍ବ ବେହେରା, ପପୁ ଜୁଏଡ଼, ନିଶି ମହାପାତ୍ର, ସଞ୍ଜୟ ଗାନ୍ଧୀ, ଅମରେନ୍ଦ୍ର ତାଣ୍ଡି ପ୍ରମୁଖଙ୍କ ସହ ଶତାଧିକ ଲୋକେ ସ୍ଥାନୀୟ ଇନ୍ଦିରା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି ବସିଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି କଣ୍ଟାବାଞ୍ଜି ପୋଲିସ ସମସ୍ତ ଛକରେ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.