କଂଗ୍ରେସ ପକ୍ଷରୁ ଆସନ୍ତା କାଲି ଓଡିଶା ବନ୍ଦ ଡାକରା : କେବଳ ଶାନ୍ତିପୂର୍ଣ୍ଣ ହରତାଳ କରିପାରିବେ କଂଗ୍ରେସ କର୍ମୀ – ହାଇକୋର୍ଟ
ଭୁବନେଶ୍ୱର, (କେପିଏନ୍ଏସ୍) : ଆସନ୍ତାକାଲି କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସାମ୍ନାକୁ ଆସିଛି । କଂଗ୍ରେସର ସଂପୂର୍ଣ୍ଣ ବନ୍ଦ ପାଳନକୁ ମନା କଲେ ହାଇକୋର୍ଟ । ଶାନ୍ତିପୂର୍ଣ୍ଣ ଭାବେ କେବଳ ହରତାଳ କରିପାରିବେ କଂଗ୍ରେସ କର୍ମୀ ବୋଲି ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ ଯେ, ନଭେମ୍ବର ୧୨ ଓଡ଼ିଶା ବନ୍ଦକୁ ନେଇ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ମମିତାଙ୍କୁ ନ୍ୟାୟ ଦାବୀରେ ବନ୍ଦ ଡାକରା ଦେଇଥିଲା କଂଗ୍ରେସ । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରିବାକୁ କୁହାଯାଇଥିଲା । ବନ୍ଦ ବେଳେ ଅତ୍ୟାବଶ୍ୟକ ସେବା ଗୁଡିକୁ ଅନୁମତି ଦିଆଯାଇଥିବା ବେଳେ ବନ୍ଦ ପାଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ ବୋଲି ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ପ୍ରକାଶ କରିଥିଲେ । ଆହୁରି କୁହାଯାଇଥିଲା ଯେ, ଓଡିଶାରେ ସମସ୍ତ ରେଳ ଚଳାଚଳ ସକାଳ ୬ ଟାରୁ ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ । କଂଗ୍ରେସ କର୍ମୀ ରାଜ୍ୟ ସାରା ପିକେଟିଂ କରିବେ । ସମସ୍ତ ସମଭାବାପର୍ଣ୍ଣ ଦଳଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲା କଂଗ୍ରେସ । ପରୀକ୍ଷାର୍ଥୀ, ରୋଗୀ, ବରିଷ୍ଠ ନାଗରିକ, ମେଡ଼ିକାଲ ସେବା ଗୁଡିକୁ ବନ୍ଦରୁ ବାଦ ଦିଆଯିବ ବୋଲି ମଧ୍ୟ କୁହାଯାଇଥିଲା ।
ବନ୍ଦ ସଂପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ କହିଛନ୍ତି ଯେ, ଆମେ ଶାନ୍ତିପୂର୍ଣ୍ଣ ଭାବେ ୬ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛୁ, ଜୋର ଜବରଦସ୍ତ ବନ୍ଦ ପାଳନ ନେଇ ଆମେ କେବେ କହିନାହୁଁ । ଜୋର ଜବରଦସ୍ତ ବନ୍ଦ ପାଳନ କରାଯିବନାହିିଁ ।