ଗୃହ ନିର୍ମାଣ ଓ ନଗର ଉନ୍ନୟନଙ୍କ ଦ୍ୱାରା ହିତାଧିକାରୀଙ୍କୁ ଆବାସ ଯୋଜନା କାର୍ଯ୍ୟାଦେଶ : ଜଙ୍ଗଲ ଜମି ପଟ୍ଟା ଓ ଭୂମିହୀନ ପଟ୍ଟା ବଣ୍ଟନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ବାରିପଦା ପୌରପାଳିକା ତରଫରୁ ପୌର ପାଳିକା ଅତିଥି ଭବନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ଯୋଜନା (ସହରୀ) -୨.୦ କାର୍ଯ୍ୟାଦେଶ, ଜଙ୍ଗଲ ଜମି ପଟ୍ଟା ଓ ଭୂମିହୀନ ପଟ୍ଟା ବଣ୍ଟନ ସମ୍ଭନ୍ଧୀୟ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବାରିପଦା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର ସପନ କୁମାର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକା ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଅତିରିକ୍ତ ତହସିଲଦାର ଶ୍ରୀକାନ୍ତ ନାୟକ, ଅତିରିକ୍ତ ତହସିଲଦାର ଭରତ ପାତ୍ର, ଉପାଧ୍ୟକ୍ଷା ସୀମା ଦାସ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଶୁଭଶ୍ରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ନଗରପାଳ ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହାପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାହୁ ବିସ୍ତୃତ ଭାବେ ସରକାରଙ୍କ ଜନକଲ୍ୟାଣକାରି ଯୋଜନା ପ୍ରଧାନମନ୍ତ୍ରୀ ଆବାସ, ଜଙ୍ଗଲ ଜମି ପଟ୍ଟା ଓ ଭୂମିହୀନ ପଟ୍ଟା ଜନ ଯୋଜନା ସମ୍ପର୍କରେ ହିତାଧିକାରୀ ତଥା ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ ଏବଂ ଯୋଗ୍ୟ ହିତାଧିକାରୀମାନଙ୍କୁ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡ. ମହାପାତ୍ର କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେବଳ ଗ୍ରାମାଞ୍ଚଳରେ ସୀମିତ ନୁହେଁ ଏହା ସହରାଞ୍ଚଳରେ ବାସ କରୁଥିବା ଘର ନଥିବା ଗରିବଙ୍କ ପାଇଁ ମଧ୍ୟ ଉଦିଷ୍ଟ । ଏତଦ ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ଗରିବ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ମଧ୍ୟ ଗୃହ ଯୋଗାଇ ଦିଆଯାଉଛି । ଏଥି ସହିତ ମନ୍ତ୍ରୀ କହିଥିଲେ ଯେ ବାରିପଦା ସହରର ବିକାଶ ପାଇଁ ଆଗକୁ ଅନେକ ଗୁଡିଏ କାର୍ଯ୍ୟ ହାତକୁ ନିଆଯାଉଛି । ନଗର ଉନ୍ନୟନ ବିଭାଗର ନୂତନ ଯୋଜନା ଅନୁସାରେ ଆଗାମୀ ଭବିଷ୍ୟତରେ ବାରିପଦା ସହରର ଦୃଶ୍ୟପଟ ପରିବର୍ତନ ହେବ ଏବଂ ଦେଶର ଏକ ନମ୍ବର ସହର ଭାବେ ପରିଚିତ କରିବା ପାଇଁ ପରିକଳ୍ପନା କରାଯାଇଛି । ସହରର ବିଭିନ୍ନ ପ୍ରକାର ବିକାଶ କରାଯିବା ସହିତ ବାସଭୂମିର ସୀମିତତା ହେତୁ ଏହାର ପରିମାଣକୁ ପରିବ୍ୟାପ୍ତ କରାଯିବ । ପୌର ପାଳିକା ତରଫରୁ ବିଭିନ୍ନ ବର୍ଗର ଗୃହ ନିର୍ମାଣ କରାଯାଇ ଆବଶ୍ୟକ ଅନୁସାରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ । ତତ ସହିତ ସହରକୁ ସମ୍ପୂର୍ଣ୍ଣ ବସ୍ତି ମୁକ୍ତ ଅଂଚଳ କରାଯିବା ନେଇ ଯୋଜନା କରାଯାଉଛି । ଏହି ବିକାଶ ଧାରାରେ ସମସ୍ତଙ୍କ ସହଭାଗୀତା ଓ ସହଯୋଗ ଆବଶ୍ୟକ । ତେଣୁ ବାରିପଦା ସହରକୁ ସୁସ୍ଥ, ସୁନ୍ଦର ଓ ଶ୍ରେଷ୍ଠ ସହରରେ ପରିଣତ କରିବା ପାଇଁ ଆମେ ସମସ୍ତେ ମିଳିତ ଭାବେ ପ୍ରୟାସ କରିବା ବୋଲି ମନ୍ତ୍ରୀ କହିଥିଲେ । ମନ୍ତ୍ରୀ ଏହି ଅବସରରେ ସହରର ବିଭିନ୍ନ ୱାର୍ଡର ୪୯ ଜଣ ହିତାଧିକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ, ୩୫ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ଓ ବସୁନ୍ଧରା ଯୋଜନା ଅନ୍ତର୍ଗତ ୧୩ ଜଣ ହିତାଧିକାରୀଙ୍କୁ ଭୂମିହୀନ ପଟ୍ଟା ବଣ୍ଟନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାରିପଦା ପୌରପାଳିକା ଓ ତହସିଲ କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ, କର୍ମଚାରୀ, ବିଭିନ୍ନ ୱାର୍ଡର କାଉନସିଲର, କାନ୍ଦ୍ରା ସୋରେନ, ରଜନୀ କାନ୍ତ ବିଶ୍ୱାଳଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ସ୍ୱଚ୍ଛ ସାଥି, ହିତାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.