ବିଚ୍ଛିନ୍ନାଞ୍ଚଳ ସିଂହଭୂମିର କେରା, କୋଲଚକଡ଼ା ଓ ଜଳ ଗ୍ରାମରେ ଓଡ଼ିଆ ଶ୍ରୀମଦ୍ଭାଗବତ : ଛବିଳ ମଧୁ ବର୍ଣ୍ଣବୋଧ ଓ ବିଭିନ୍ନ ଓଷାବ୍ରତ ବହି ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାଆ ତାରିଣୀ ସାହିତ୍ୟ ସଂସଦ, ଗଦାଧର ପୁର, ଘଟଗାଁ, କେନ୍ଦୁଝରର ପ୍ରତିଷ୍ଠାତା ରାମ ନାରାୟଣ ଶର୍ମାଙ୍କ ଦ୍ୱାରା ବିଚ୍ଛିନ୍ନାଞ୍ଚଳ ସିଂହଭୂମିର କେରା, କୋଲଚକଡ଼ା ଓ ଜଳ ଗ୍ରାମରେ ଓଡ଼ିଆ ଭାଗବତର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଶ୍ରୀମଦ୍ଭାଗବତ ମହାପୁରାଣ ବହି ବଣ୍ଟନ କରାଯାଇଛି । ତା ସହିତ ସିଂହଭୂମି ଅଞ୍ଚଳରେ ଓଡ଼ିଆ ମାତୃଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ଓଡ଼ିଆ ଓଷାବ୍ରତ ଯଥା :- ମାଣବସା ଲକ୍ଷ୍ମୀପୁରାଣ, ମଙ୍ଗଳା ଓଷା, ଖୁଦୁରୁକୁଣୀ ଓଷା, ତଅପୋଇ କଥା, ସୁଦଶା ବ୍ରତକଥା, ବିପତ୍ତାରିଣୀ ବ୍ରତକଥା, ଖନାବଚନ, କୁଆଁର ପୁନେଇଁ ଗୀତ, ଶନିଶ୍ଚର ମେଳା, ତ୍ରୀନାଥ ମେଳା, ରାଧାଷ୍ଟମୀ ବ୍ରତ, ପଞ୍ଚାନନ ମେଳା, ପୁଅ ଜିଉଁତିଆ ଓଷା ଜଗନ୍ନାଥ ଭଜନମାଳା ଇତ୍ୟାଦି ପୁସ୍ତକ ଗ୍ରାମବାସୀଙ୍କ ମଧ୍ୟରେ ନିଶୁଳ୍କ ବଣ୍ଟନ କରାଯାଇଛି । ଓଡ଼ିଆ ମଧ୍ୟ ବିଦ୍ୟାଳୟ କେରା, ଓଡ଼ିଆ ମଧ୍ୟ ବିଦ୍ୟାଳୟ କୋଲଚକଡ଼ା ଓ ଓଡ଼ିଆ ମଧ୍ୟ ବିଦ୍ୟାଳୟ ଜଳ ଇତ୍ୟାଦି ବିଦ୍ୟାଳୟକୁ ଯାଇ ସେଠାରେ ଓଡ଼ିଆ ପଠନ ପାଠନ ବ୍ୟବସ୍ଥା ଓ ସମାସ୍ୟା ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଆଲୋଚନା କରି ଏବଂ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଛବିଳ ମଧୁ ବର୍ଣ୍ଣବୋଧ ବହି ବଣ୍ଟନ କରି ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀମାନଙ୍କୁ ନିଜ ମାତୃଭାଷାରେ ଶିକ୍ଷା ଗ୍ରହଣ କରିବା, ତଥା ମାତୃଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷା ପାଇଁ ସଜାଗ ରହିବା ପାଇଁ ଅନୁରୋଧ କରିଛନ୍ତିି । ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ କେରା ଗ୍ରାମର ପଣ୍ଡିତ ଦୁର୍ଗା ଚରଣ କର ସାହିତ୍ୟ ସଂସଦର ସଂଯୋଜକ ସତ୍ୟ ପ୍ରକାଶ କର ସହଯୋଗ କରିଥିଲେ । ଘଟଗାଁକୁ ଫେରିବା ସମୟରେ ରାମ ନାରାୟଣ ଶର୍ମା ଏହି ଅଞ୍ଚଳରେ ଓଡ଼ିଆ ଭାଷା ଭାଷୀଙ୍କ ସଂଖ୍ୟା ବହୁଳତା ତଥା ମାତୃଭାଷା ପ୍ରେମ ପାଇଁ ଗ୍ରାମବାସୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଗ୍ରାମବାସୀମାନେ ମଧ୍ୟ ଶ୍ରୀଯୁକ୍ତ ଶର୍ମାଙ୍କ ଉକ୍ତ କାର୍ଯ୍ୟକଳାପକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.