
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିକଟକୁ ବିଶେଷ ସୂତ୍ରରୁ ଖବର ମିଳିଲା ଯେ ବର୍ଣ୍ଣେଇ ଜଙ୍ଗଲ ଅଞ୍ଚଳରୁ ଅବୈଧ ଭାବରେ ସାହଜ କାଠ ଓ କେନ୍ଦୁ କାଠ ଟ୍ରାକ୍ଟରରେ ଚୋରା ଚାଲାଣ ହେବାକୁ ଯୋଜନା ଚାଲିଛି । ଖବର ପାଇ ତତ୍କାଳୀନ ବନ ବିଭାଗର ଷ୍ଟାଫମାନେ ଗୁଦୁଗୁଦା ଓ ଡୁମେରବାହାଲ ଜଙ୍ଗଲ ରାସ୍ତାରେ ଜଗିକି ରହିଥିଲେ । ସେଠାରେ ସେମାନେ ଦେଖିଥିଲେ ଯେ, ୨ ଜଣ ଲୋକ ଏକ ଟ୍ରାକ୍ଟରରେ କାଠ ଧରି ଆସୁଛନ୍ତି । ବନ ବିଭାଗ ଷ୍ଟାଫଙ୍କୁ ଦେଖି ସେମାନେ ପଳାଇବାକୁ ଚେଷ୍ଟା କଲେ ମଧ୍ୟ, ବନ କର୍ମଚାରୀମାନେ ସଜାଗ ରହି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଧରାପଡ଼ିଥିବା ଲୋକମାନେ ହେଲେ ବିକାଶ ମାଝୀ ଓ ସୁନିଲ ପୋଢ଼ , ଦୁହେଁ ଗୁଦଗୁଦା ଗ୍ରାମର ବାସିନ୍ଦା । ବନ ବିଭାଗ ସେମାନଙ୍କୁ ଓଡ଼ିଶା ଜଙ୍ଗଲ ଆଇନ ଅନୁଯାୟୀ ଗିରଫ କରି ୩୦.୦୫.୨୦୨୫ ତାରିଖରେ କୋର୍ଟକୁ ଚାଲାଣ କରିଛି । ଏହି ଦୁଇ ଜଣ ଲମ୍ବା ସମୟ ଧରି କାଠ ଚୋରି ଓ ଚାଲାଣ କାର୍ଯ୍ୟରେ ସମ୍ପୃକ୍ତ ଥିବା ବୋଲି ଜଣାପଡିଛି । ଏହି ଘଟଣା ସଂପର୍କରେ ଟିଟିଲାଗଡ ରେଞ୍ଜରେ କେସ ପଞ୍ଜିକୃତ ହୋଇଛି ଓ ଆଗକୁ ଏ ବିଷୟରେ ଅନୁସନ୍ଧାନ ଜାରି ରହିଛି ବୋଲି ରେଞ୍ଜ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି ତଥ୍ୟ ଦେଇଛନ୍ତି ।