
- ମହୋତ୍ସବ କେବଳ ମନୋରଂଜନର ମାଧ୍ୟମ ନହେଇ ସମସ୍ୟା ସମାଧାନର ମଞ୍ଚ ହେଉ
ବଲାଙ୍ଗିର, (କେପିଏନ୍ଏସ୍) : ମହୋତ୍ସବର କେବଳ ମନୋରଂଜନର ମାଧ୍ୟମ ନୋହୋଇ ବିସ୍ଥାପିତଙ୍କ ସମସ୍ୟାର ସମାଧାନର ମଞ୍ଚ ହେଉ । ଲୋୟର ସୁକତେଲ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ଗ୍ରାମବାସୀମାନଙ୍କର ସମସ୍ୟା ସମାଧାନ କରିବାରେ ସରକାର ବିଫଳ ହୋଇଛନ୍ତି । ବିସ୍ଥାପିତ କଲୋନୀରେ ସେମାନଙ୍କ ପାଇଁ ମୌଳିକ ସୁବିଧା କରାଯାଇପାରି ନାହିଁ । ବିସ୍ଥାପିତଙ୍କ ପାଇଁ ରହିଥିବା ସରକାରୀ ନୀୟମର ଏଠାରେ ଖୋଲାଖୋଲି ଉଲଂଘନ କରାଯାଉଛି । ବିସ୍ଥାପନର ଦୁଇବର୍ଷ ପରେ ଲୋକଙ୍କୁ ଉଚିତ କ୍ଷତିପୂରଣ ମିଳିନାହିଁ କିମ୍ବା ଥଇଥାନ କରାଯାଇ ପାରିନାହିଁ । ପ୍ରକଳ୍ପ ହେବା ସମୟରେ ଯେଉଁମାନେ ପ୍ରକଲ୍ପକୁ ସମର୍ଥନ କଲେ ସେମାନେ ପ୍ରଶାସନ ସହିତ ଆଲୋଚନା କରି ଉଚିତ୍ ଥଇଥାନ କରାଇବେ ବୋଲି କହୁଥିଲେ ସେମାନେ ଏବେ ମୁହଁ ମୋଡିଦେଇଛନ୍ତି । ବୃହତ୍ତର ସ୍ୱାର୍ଥପାଇଁ ଭିଟାମାଟି ଛାଡିଥିବା ଲୋକେ ଏବେ ଅପଦସ୍ତ ହେଉଛନ୍ତି । ଏବେ ସମୟ ଆସିଛି ବିସ୍ଥାପିତଙ୍କ ସହିତ ଛିଡାହୋଇ ତାଙ୍କର ସମସ୍ୟାକୁ ସମସାଧାନ କରାଇବା ବୋଲି ବଲାଙ୍ଗିର ଜିଲ୍ଲା ଲୋୟର ସୁକତେଲ ପ୍ରକଳ୍ପ ତଳେ ମାଗୁରବେଢାଠାରେ ଚାଲିଥିବା ବନଦୁର୍ଗା ମହୋତ୍ସବର ଦ୍ୱିତୀୟ ଦିନରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି । ବନଦୁର୍ଗା ମହୋତ୍ସବ କମିଟିର ସଭାପତି ମାଗୁରବେଢା ସରପଞ୍ଚ ସଞ୍ଜୟ ଗଡତ୍ୟାଙ୍କ ସଭାପତିତ୍ୱ ଓ ବିକାଶ ରଂଜନ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥିଭାବରେ ଚାଷିନେତା ଆକାଶ ମିଶ୍ର, ସମ୍ମାନୀତ ଅତିଥିଭାବରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଜତିନ ପଟେଲ, କୁଶମେଲ ସରପଞ୍ଚ କୌସ୍ତୁଭ ସାହୁ, ରତାଖଣ୍ଡି ସରପଞ୍ଚ ହୀମାଞ୍ଚଳ ମେହେର, କୁଶମେଲ ସମିତି ସଭ୍ୟ ବିରେନ୍ଦ୍ର ସାହୁ, ମାଗୁରବେଢା ସମିତି ସଭ୍ୟ ଦିଲିପ ଦାସ ଓ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ପ୍ରଗତିବାଦୀର ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଲୋୟର ସୁକତେଲ ପ୍ରକଲ୍ପରୁ ଜଳସେଚନ ନେଇ ସନ୍ଦେହ ବ୍ୟକ୍ତ କରି ୨୦୦୦ ମସିହାରେ ଯାହା ସନ୍ଦେହ କରାଯାଉଥିଲା ଯେ, ପ୍ରକଳ୍ପରୁ ଖଣି ଓ କାରଖାନାକୁ ପାଣି ଦିଆଯିବ ବୋଲି ତାହା ସତ୍ୟ ହେବାକୁ ଯାଉଛି ବୋଲି କହିଥିଲେ । ଲୋୟର ସୁକତେଲ ପ୍ରକଲ୍ପ ଉପରମୁଣ୍ଡରେ ଖଣି ଖନନ କରିବାକୁ ସରକାର ଯୋଜନା କରୁଛନ୍ତି ଓ ପ୍ରକଲ୍ପରୁ ଆଖିବୁଜା ପାଣି ସେମାନଙ୍କୁ ଦେବାର ଆଶଂକା ରହିଛି । ଏହା ହେଲେ ପ୍ରକଳ୍ପର ଅସଲ ଉଦ୍ଦେଶ୍ୟ ସାଧିତ ହେବ ନାହିଁ । ବିସ୍ଥାପିତଙ୍କ ସମସ୍ୟାର ମିଳିତ ଭାବରେ ସମାଧାନ କରାଯାଉ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । ଠିକ ସେହିପରି ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଜତିନ ପଟେଲ, ସରପଞ୍ଚ କୌସ୍ତୁଭ ସାହୁ ଓ ଅନ୍ୟମାନେ ବିସ୍ଥାପିତ କଲୋନୀଗୁଡିକର ସମସ୍ୟା ବିଷୟରେ କହିଥିଲେ । କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ସଂପାଦକ ଜୟକୃଷ୍ଣ ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକୁ ସଂଯୋଜନା କରିଥିଲେ । ଏହି ଅବସରରେ ସଂସ୍କୃତି ବିଭାଗ ଅନୁକୂଲ୍ୟରେ ପ୍ରାୟୋଜିତ ସାଂସ୍କୃତିକ ଦଳ ଗୁଡିକ ଦିଲିପ କୁମାର ସାହୁ, ପଦ୍ମଶ୍ରୀ ଖଟେଇ ଓ ସାଥୀ କଳାଜିବୀ ବରଗଡ଼, ପାୟଲ ଇନଷ୍ଟିଚ୍ୟୁଟ କଟକ, ଆକାଶ, ବିଦ୍ୟା ଓ ସାଥୀ ମହାନୀ ନୃତ୍ୟ ଅନୁଷ୍ଠାନ ବଲାଙ୍ଗିର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେହିପରି କଳାକାର ଗୋପାଳ ପଣ୍ଡାଙ୍କ ଟିମଦ୍ୱାରା କଂସ ଦରବାର ଆୟୋଜିତ ହୋଇଥିଲା ।