ଶିଳ୍ପୀ ଓମ୍ ପ୍ରକାଶ ସାହୁଙ୍କ ବାଳୁକା କଳା ପ୍ରଦର୍ଶନୀ ଉଦ୍‌ଯାପିତ

ତୁଷୁରା, (କେପିଏନ୍‌ଏସ୍‌) : ୨୩ ଜାନୁଆରୀ ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ପେନ୍ଦିମୁଣ୍ଡା ତୁଷୁରା ସ୍ଥିତି ତେଲ ନଦୀରେ ବାଳୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁଙ୍କ ନିର୍ମିତ ୩୬ ଫୁଟ୍ ଉଚ୍ଚତା ବିଶିଷ୍ଟ ନେତାଜୀଙ୍କ ବାଳୁକା ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ଅନେକ ବିଦ୍ୟାଳୟ ତଥା ପଡୋଶୀ ଜିଲ୍ଲା କଳାହାଣ୍ଡିର କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍କୁଲ କଲେଜରୁ ହଜାର ହଜାର ଛାତ୍ର ଛାତ୍ରୀ ଉକ୍ତ ସମାରୋହରେ ଯୋଗଦେଇ ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା, ନୃତ୍ୟ, ସଂଗୀତ ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଗିରିଶ୍ ଚନ୍ଦ୍ର ସାଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁଡଭେଲା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଳୁକା କଳାର ଭୂୟଶୀ ପ୍ରଶଂସା କରିଥିଲେ ଓ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ସମାଜସେବୀ ଅଶୋକ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଗୃଦା ନନ୍ଦ, ଗାଁର ମୁଖ୍ୟ ଆଦି ମାଝୀ, ପିତ ରଣା, ଆଶୁକବି ହେମନ୍ତ ଦାଶ, ସମାଜସେବୀ ଡ଼ଃ ଶଶୀଭୁଷଣ ସାହୁ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମଞ୍ଚାସୀନ ହୋଇଥିଲେ । ମଞ୍ଚାସୀନ ଅତିଥିଙ୍କ ସମେତ ଗ୍ରାମର ପ୍ରତିଭାଧାରୀ ଯୁବକ ତହସିଲ ଭୋଇ, ବୈଷ୍ଣବ ରଣା, ସୁନୀଲ ଭୋଇ, ଶିକ୍ଷକ ପ୍ରହଲ୍ଲାଦ ଦଣ୍ଡସେନା ରୁଷି ବୁଡ଼େକ, ଲିଙ୍ଗରାଜ ରଣା, ଧନଞ୍ଜୟ କୁଅଁରଙ୍କୁ ମୋମେଣ୍ଟୋ ଦେଇ ଶିଳ୍ପୀ ଓମ୍‌ ପ୍ରକାଶ ସାହୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶେଷରେ ସରପଞ୍ଚ ଶ୍ରୀ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.