ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ଥାନା ଆଗଲପୁର ତହସିଲ ଅନ୍ତର୍ଗତ ବାବୁ ଫାସଡ଼ ରାଜସ୍ୱ ନିରୀକ୍ଷକଙ୍କୁ ବାଲି ମାଫିଆମାନେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସନ୍ତୋଷ ପଧାନଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି । ଅଭିଯୋଗ ମତେ ଆଗଲପୁର ତହସିଲଦାର ସୁଶ୍ରୀ ସରୋଜା ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ସକାଳ ସାଢେ ୫ଟାରେ ବାବୁ ଫାସଡ଼ ଆର୍ଆଇ ସୁଶାନ୍ତ ପଟେଲ, ସାଲେଭଟା ଆର୍ଆଇ ମନୋଜ ଗହୀର, ଏଆର୍ଆଇ ପ୍ରମୋଦ ମେହେର ପ୍ରମୁଖ ଦୁଇଜଣ ପୋଲିସ କର୍ମଚାରୀଙ୍କ ସହିତ ମୂର୍ଷୁଣ୍ଢ ଗ୍ରାମ ନିକଟରେ ଥିବା ଅଙ୍ଗନଦୀ ବାଲିଘାଟକୁ ଯାଇଥିଲେ । ସେଠାରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଟ୍ରାକ୍ଟର (ଓଡ଼ି୦୩ଏନ ୪୪୨୩)କୁ ଜବତ କରିବା ସହିତ ସାଲେଭଟା ଫାଣ୍ଡିକୁ ଆଣୁଥିଲେ । ତେବେ ମୂର୍ଷୁଣ୍ଢ ଗ୍ରାମ ନିକଟରେ ଟ୍ରାକ୍ଟର ଡ୍ରାଇଭର ଶେଷ ରାଉତ ଗାଡିକୁ ନେଇ ଅନ୍ୟତ୍ର ଫେରାର୍ ହେବାକୁ ଉଦ୍ୟମ କରିଥିଲେ । ଆର୍ଆଇ ଶ୍ରୀ ପଟେଲ ମୋବାଇଲ ବାହାର କରି ତାହାର ଭିଡିଓ ଉତ୍ତୋଳନ କରୁଥିବା ବେଳେ ଟ୍ରାକ୍ଟର ମାଲିକ ସନ୍ତୋଷ ପଧାନ ସେଠାରେ ପହଞ୍ଚି ଶ୍ରୀ ପଟେଲଙ୍କ ହାତକୁ କାମୁଡି ଦେଇ ମୋବାଇଲକୁ ଲୁଟି ନେଇ ନିକଟରେ ଜଳୁଥିବା ଆବର୍ଜନା ନିଆଁରେ ପକାଇ ଦେଇ ଫେରାର ହୋଇଯାଇଥିଲା । ଘଟଣା ସମ୍ପର୍କରେ ଆର୍ଆଇ ସୁଶାନ୍ତ ପଟେଲ ତହସିଲଦାରଙ୍କୁ ଅବଗତ କରାଇବା ସହିତ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ସାଲେଭଟା ବସଷ୍ଟାଣ୍ଡଠାରୁ ଅଭିଯୁକ୍ତ ସନ୍ତୋଷକୁ ପୋଲିସ ଗିରଫ କରି ଥାନାକୁ ଆଣିଥିବା ଜଣାଯାଇଛି । ବଲାଂଗିର ଏସ୍ଡ଼ିପିଓ ତୋଫାନ ବାଗ ଲୋଇସିଂହା ଥାନାରେ ପହଞ୍ଚି ଅଭିଯୁକ୍ତକୁ ପଚରାଉଚୁରା କରୁଥିବା ଜଣାଯାଇଛି ।