ବରଗଡ଼ ଘୁଲିପାଲି ଛକଠାରେ ବୋଲେରୋ ଦୁର୍ଘଟଣାରେ ଛତିଶଗଡ଼ ରାଜ୍ୟର ୧୩ ଜଣ ଯାତ୍ରୀ ଆହତ

ବରଗଡ଼, (ନିରୋଜ କୁମାର ପାଣୀ) : ଜାତୀୟ ରାଜପଥ ରାସ୍ତାରେ ହଠାତ୍‌ ଦୌଡ଼ି ଆସିଥିବା ଗାଈକୁ ବଞ୍ଚାଇବାକୁ ଯାଇ ବୋଲେରୋ ଗାଡି ଦୁର୍ଘଟଣାଗସ୍ତ ହୋଇ ୧୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଘଟଣା ସ୍ଥଳକୁ ସଙ୍ଗେ ସଙ୍ଗେ ସମାଜସେବୀ ସଙ୍ଗଠନ ସଂକଲ୍ପ ପରିବାର ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ସୂଚନା ଅନୁଯାୟୀ ଛତିଶଗଡ଼ ରାଜ୍ୟର ଗୋଟେ ପରିବାରର ଲୋକ ଗତ ବିଳମ୍ବିତ ରାତ୍ରିରେ ପୁରୀରୁ ମନ୍ଦିର ଦର୍ଶନ କରି ଏକ ବୋଲେରୋରେ ଫେରୁଥିବା ସମୟରେ ବରଗଡ଼ ସ୍ଥିତ ସ୍ଥାନୀୟ ଘୁଲିପାଲି ଛକ ନିକଟ ଜାତୀୟ ରାଜପଥରେ ଗାଡ଼ି ସମ୍ମୁଖକୁ ହଠାତ୍‌ ଏକ ଗାଈ ଦୌଡ଼ି ଆସିବାରୁ ଗାଈକୁ ବଞ୍ଚାଇବାକୁ ଯାଇ ଡିଭାଇଡର ଉପରକୁ ଚଢି ଓଲଟି ପଡ଼ିଥିଲା ବୋଲେରୋ । ତେବେ ଉକ୍ତ ଗାଡିରେ ଥିବା ୪ ଜଣ ଛୁଆଙ୍କ ସହିତ ମୋଟ ୧୩ ଜଣ ଯାତ୍ରି ଥିବା ବେଳେ ସମସ୍ତ ଯାତ୍ରି ଛିନ୍ନଛତ୍ର ହୋଇ ଏଣେ ତେଣେ ପଡ଼ିଥିଲେ । ଦୁର୍ଘଟଣା ବିଷୟରେ ଖବର ପାଇ ସମାଜସେବୀ ସଙ୍ଗଠନ ସଂକଲ୍ପ ପରିବାରର ସଦସ୍ୟମାନେ ଘଟଣା ସ୍ଥଳକୁ ପହଞ୍ଚି ସଙ୍ଗେ ସଙ୍ଗେ ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ । ଜଣେ ଯାତ୍ରିଙ୍କ ଉପରେ ବୋଲେରୋ ଚାପି ହୋଇ ରହିଥିବା ବେଳେ ବହୁ କଷ୍ଟରେ ଗାଡ଼ିତଳୁ ଗୁରୁତର ଅବସ୍ଥାରେ ଆହତଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ପ୍ରଥମେ ସମସ୍ତ ଆହତଙ୍କୁ ବରଗଡ଼ ଖେଦାପାଲି ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ପରେ ୫ ଗୋଟି ଆମ୍ବୁଲେନ୍ସ ଏବଂ ସଂକଲ୍ପ ରଥ ସାହାଯ୍ୟରେ ୧୩ ଜଣଙ୍କୁ ବୁର୍ଲା ବଡ଼ ମେଡିକାଲକୁ ନେଇ ଥିଲେ ସଂକଲ୍ପ ପରିବାରର ସଦସ୍ୟ । ବୁର୍ଲାଠାରେ ସମସ୍ତ ଯାତ୍ରୀଙ୍କ ସିଟି ସ୍କାନ କରାଯାଇଥିବା ବେଳେ ୬ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଗାଡି ତଳେ ଚାପି ହୋଇଥିବା ଗୁରୁତର ମହିଳା ଜଣଙ୍କର ହାତ ଛିଣ୍ଡି ଯାଇଥିବା ବେଳେ ତାଙ୍କୁ କଟକକୁ ପଠା ଯାଇଛି । ତେବେ ଦୁର୍ଘଟଣା ଗସ୍ତ ଆହତଙ୍କୁ ରାତିସାରା ବରଗଡ଼ ସଂକଲ୍ପ ପରିବାରର ଏପରି ସହାୟତା ପ୍ରଦାନକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଉଥିବା ବେଳେ ବରଗଡ଼ ସହରରେ ଏପରି ବୁଲା ଗାଈଗୋରୁଙ୍କ ପାଇଁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟି ଆସୁଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ନେଇ ଜିଲ୍ଲା ପ୍ରଶାସନକୁ ଘୋର ନିନ୍ଦା କରାଯାଇଛି । ଜିଲ୍ଲା ପ୍ରଶାସନ ପୂର୍ବରୁ ତତ୍ପର ହୋଇଥିଲେ ଆଜି ଏପରି ଏକ ବଡ଼ ଧରଣର ଦୁର୍ଘଟଣାରୁ ଲୋକେ ବର୍ତ୍ତିଯାଇ ପାରିଥାନ୍ତେ ।

Leave A Reply

Your email address will not be published.