ବଲାଙ୍ଗିର ଜିଲ୍ଲାରେ ଓବିସି ଜନଜାଗରଣ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଓବିସି ଜନଜାଗରଣ ଯାତ୍ରା ବଲାଙ୍ଗିର ଜିଲ୍ଲାର ସାଲେଭଟା ଚଣ୍ଡି ମନ୍ଦିରଠାରୁ ବାହାରି ସାଲେଭଟାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଆନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶହ ଶହ ଓବିସି ଜନସାଧାରଣ ଜାଗରଣ ଯାତ୍ରାକୁ ସମ୍ବର୍ଦ୍ଧନା ଜଣାଇଥିଲେ । ଆଗଲପୁର ବ୍ଲକ ଡୁଡୁକା ଗ୍ରାମଠାରେ ସରପଂଚ ଅଶୋକ କୁମାର ପଟେଲ, ପେକ୍ସ ସଭାପତି ବଳରାମ ପଟେଲଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ସମ୍ବର୍ଦ୍ଧନା ଜଣାଇଥିଲେ । ସେହିପରି ଲୋଇସିଂହା ବ୍ଲକର ବୁର୍ଡା ଗ୍ରାମରେ ରାଜ୍ୟ ଡୁମାଲ ପରିଷଦ ସଂପାଦକ ଇନ୍ଦ୍ରମଣି ବାରିକଙ୍କ ନେତୃତ୍ୱରେ ଓବିସି ରଥକୁ ସମ୍ବର୍ଦ୍ଧନା ଜଣାଇଥିଲେ । ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଶଙ୍କରଭୋଜି ଗ୍ରାମଠାରେ ମାଁ ମାହେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ତଥା ଗ୍ରାମବାସୀ ଓବିସି ରଥକୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଓବିସି ମଂଚର ସଭାପତି ଶଙ୍କର ପାତ୍ର, କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ୱାଲ, ବିରଂଚି ସାହୁ, ଉପ-ସଭାପତି କିଶୋର ଚନ୍ଦ୍ର ସାଏ, ଓବିସି ମଂଚ ସଂଯୋଜକ ସରୋଜ କୁମାର ମେଶ୍ୱା, ନବସେତୁର ସଂପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ ପ୍ରମୁଖ ଓବିସିଙ୍କ ହକ୍‌ ଏବଂ ଅଧିକାରୀ ପାଇଁ ଆଗାମୀ ଦିନରେ ସରକାରଙ୍କଠାରେ ଲଢେଇ ହେବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଯଦି ଆଗାମୀ ଦିନରେ ଓବିସିଙ୍କୁ ସମାନୁପାତିକ ସଂରକ୍ଷଣ ସମସ୍ତ କ୍ଷେତ୍ରରେ ଦିଆ ନ ଗଲେ ରାଜ୍ୟସାରା ଆନ୍ଦୋଳନ ହେବ ବୋଲି ରାଜ୍ୟ ସଭାପତି ଶଙ୍କର ପାତ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ । ତାପରେ ଜନଜାଗରଣ ଯାତ୍ରା ରଥ ବଲାଙ୍ଗିର ଭାଗିରଥି ଠାରେ ପହଞ୍ଚିଥିଲା । ସେଠାରେ ସନ୍ଧ୍ୟା ୭ଟା ସମୟରେ ବଲାଙ୍ଗିର ଜିଲ୍ଲାର ସମସ୍ତ ଜାତି ସମାଜର କର୍ମକର୍ତ୍ତା ଉପସ୍ଥିତ ରହି ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଓଡିଶାର ଓବିସି ମଂଚ ସଭାପତି ଶଙ୍କର ପାତ୍ର, କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ୱାଲ, ପ୍ରବକ୍ତା ବିରଂଚି ସାହୁ, ସଂଯୋଜକ ସରୋଜ କୁମାର ମେଶ୍ୱା, ଉପ-ସଭାପତି କିଶୋର ଚନ୍ଦ୍ର ସାଏ, କୁଲତା ସମାଜ ସଭାପତି ବେଲାରସିଂ ଭୋଇ, ନବସେତୁ ସଂପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ମଧୁବୈଶ୍ୟ ସମାଜର ମନୋରଂଜନ ସାହୁ, ଟଙ୍କଧର ଗଡତ୍ୟା, ବିଦେଶୀ ପ୍ରଧାନ, ସଂଜୟ ଭୋଇ, ଡୁମାଲ ସମାଜର ସଂଜୟ ମହାକୁର, ମଧୁ କ୍ଷେତୀ, ପ୍ରହଲ୍ଲାଦ ଭୋଇ, ନାରୀନେତ୍ରୀ ଶୁଭାସିନୀ ସାହୁ, କିଶୋର ଚନ୍ଦ୍ର ସାଏ, ରାହାସ ବିହାରୀ ମାଝି, ଅଘରିଆ ସମାଜର ସଭାପତି ଶୁଭ୍ରାଂଶୁ ପଟେଲ ଉଦ୍‌ବୋଧନ ଦେଇଥିଲେ । ଶେଷରେ ବଲାଙ୍ଗିର ଜିଲ୍ଲା ଓବିସି ମଂଚର ସଂଯୋଜକ ସରୋଜ କୁମାର ମେଶ୍ୱା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.