
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାପା ପୁଅ ମିଶି ଭିଆଇଲେ ହତ୍ୟାକାଣ୍ଡ । ପିଟିପିଟି ଗାଁ ଦାଣ୍ଡରେ ନେଇଗଲେ ଯୁବକଙ୍କ ଜୀବନ । ଏଭଳି ଘଟଣା ବଲାଙ୍ଗିର ସଦରଥାନା ଅନ୍ତର୍ଗତ ସରଗାଡ଼ ଠାରେ ଘଟିଛି । ୨୪ ଘଣ୍ଟା ଭିତରେ ବଲାଙ୍ଗିର ସଦର ପୋଲିସ ଅଭିଯୁକ୍ତ ବାପା ପୁଅଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଦୁଇ ଜଣ ଅଭିୁଯୁକ୍ତ ମାନେ ହେଲେ ସରଗାଡ଼ ଗ୍ରାମର ଲିଙ୍ଗରାଜ ନାଏକ(୬୧) ଓ ପ୍ରେମାନନ୍ଦ ନାଏକ (୩୨) । ଟାଉନ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସ୍ପି ଅଭିଳାଷ ଜି ଘଟଣାର ପର୍ଦ୍ଦାଫାସ କରିଛନ୍ତି । ଏସ୍ପିଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ବାପା ପୁଅ ସରଗାଡ଼ ଠାରେ ଏକ ଢାବା ଖୋଲିଥିଲେ । ମୃତକ ଅରୁଣ ସାଏ ପଟେଲ ବାରମ୍ବାର ସେହି ଢାବାକୁ ଯାଇ ହୋ ହାଲ୍ଲା କରିବା ସହିତ ମାଗଣା ଖାଇବା ପିଇବା ଓ ପଇସା ଦାବୀ କରୁଥିଲା । ଘଟଣା ଦିନ ମଧ୍ୟ ସେ ଢାବାକୁ ଯାଇ ହୋ ହଲ୍ଲା କରି ଆଉ ଗାଁକୁ ଫେରିଥିଲା । ଆଉ ଫେରିଲା ପରେ ପୁଣି ଗାଁରେ ଅଭିଯୁକ୍ତ ବାପ ପୁଅ ଓ ମୃତକ ଅରୁଣ ସାଏଙ୍କ ମଧ୍ୟରେ ବଚସା ହୋଇଥିଲା । ଏତିକି ବେଳେ ମୃତକ ଅରୁଣ ଅଭିଯୁକ୍ତ ଦ୍ୱୟଙ୍କ ସ୍ତ୍ରୀଙ୍କୁ ଟଣା ଓଟରା କରିବାରୁ ଘଟଣା ଭୟଙ୍କର ରୂପ ନେଇଥିଲା । ଅଭିଯୁକ୍ତ ବାପା ପୁଅ ବାଉଁଶ ବାଡ଼ିରେ ପିଟି ପିଟି ଗାଁ ଦାଣ୍ଡରେ ଅରୁଣ ସାଏଙ୍କୁ ହତ୍ୟା କରିଥିଲେ । ତା ସହ ଅରୁଣର ସହଯୋଗୀ ଯୋଗେଶ୍ୱର ସରାଫ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆକ୍ରମଣ କରି ଲହୁ ଲୁହାଣ କରି ପକେଇଥିଲେ । ଅଭିଯୋଗ ପରେ ଖବର ପାଇ ବଲାଙ୍ଗିର ସଦର ଥାନା ପୋଲିସ ଘଟଣାସ୍ଥଳକୁ ପହଂଚି ମାରଣାସ୍ତ୍ର ଜବତ କରିବା ସହ ଅଭିଯୁକ୍ତ ବାପା ପୁଅଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।